ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ । ସେଥିଲାଗି ଲୋକେ ଘରେ ପଶୁପକ୍ଷୀ ରଖିବାକୁ ପସନ୍ଦ କରିଥାନ୍ତି । ନିଜ ପିଲାଙ୍କ ପରି ସେମାନଙ୍କର ଯତ୍ନ ବି ନେଇଥାନ୍ତି । ବାହାରକୁ ଗଲେ ତାକୁ ନେଇ ସାଙ୍ଗରେ ବି ଯାଇଥାନ୍ତି । ଏହାର ପ୍ରମାଣ ଭାରତର ଏକ ଗ୍ରାମରେ ଦେଖିବାକୁ ମିଳିଛି । ଭାରତର ଏହି ଗାଁ ଅତ୍ୟନ୍ତ ସ୍ୱତନ୍ତ୍ର । କାରଣ ଏଠାରେ ମଣିଷ ଏବଂ ପଶୁମାନେ ଏକାଠି ରୁହନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଏଠାରେ କୌଣସି ଘରୋଇ ପ୍ରାଣୀ ନୁହନ୍ତି ବରଂ ବଣୁଆ ଜନ୍ତୁ ଚିତାବାଘ ଲୋକମାନଙ୍କ ସହିତ ରୁହନ୍ତି ।
ଉଦୟପୁର ଏବଂ ଯୋଧପୁର ମଧ୍ୟରେ ରହିଛି ବେରା ଗାଁ । ଏହି ଗାଁରେ ରାବାରୀ ଜନଜାତିର ଲୋକ ବାସ କରନ୍ତି । ଏହି ଲୋକମାନେ ମେଷପାଳକ ଅଟନ୍ତି । ଏହି ସମ୍ପ୍ରଦାୟର ଲୋକମାନେ ହଜାର ହଜାର ବର୍ଷ ପୂର୍ବେ ବାଲୁଚିସ୍ତାନରୁ ଆସି ଭାରତର ଏହି କୋଣରେ ବସବାସ କର ଆସୁଛନ୍ତି । ଏହି ଜନଜାତି ଭଗବାନ ଶିବଙ୍କୁ ପୂଜା କରନ୍ତି ଏବଂ ତେଣୁ ପଶୁମାନଙ୍କୁ ମଧ୍ୟ ଭଲ ପାଆନ୍ତି । ଏହି ଆଦିବାସୀମାନେ ବିଶ୍ୱାସ କରନ୍ତି ଯେ, ସେମାନେ ଭଗବାନ ଶିବ ଏବଂ ମାତା ପାର୍ବତୀ ଦ୍ୱାରା ସୃଷ୍ଟି ହୋଇଛନ୍ତି ।
ଏହି ଗାଁକୁ ଆସୁଥିବା ପର୍ଯ୍ୟଟକମାନେ ଚିତାବାଘ ଦେଖିବା ପରେ ଭୟଭୀତ ହୁଅନ୍ତି, କିନ୍ତୁ ଗ୍ରାମବାସୀ ସେମାନଙ୍କୁ ନିଜର ବୋଲି ଭାବନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ଚିତାବାଘ ଗାଁକୁ ସୁରକ୍ଷା ଦେଇଥାଏ ଏବଂ ଏହାକୁ ପ୍ରତ୍ୟେକ ମନ୍ଦ କାର୍ଯ୍ୟରୁ ରକ୍ଷା କରିଥାଏ । ବେରା ଗାଁ ଏହାର ଜଙ୍ଗଲ ସଫାରି ପାଇଁ ପ୍ରସିଦ୍ଧ । ଆପଣ ସହଜରେ ସେଠାକୁ ଯାଇପାରିବେ । ଏହି ଗାଁ ଆରାବଳୀ ପର୍ବତରେ ଅବସ୍ଥିତ ।
Comments are closed.