ମୁମ୍ବାଇ: ବଲିଉଡ୍ରେ ଏବେ ପୌରାଣିକ ଓ ଐତିହାସିକ ଫିିଲ୍ମ ତିଆରି କରିବାର ପରମ୍ପରା ଆରମ୍ଭ ହୋଇ ଯାଇଛି । ସେହିଭଳି ଆଗକୁ ଆସୁଛି ଫିଲ୍ମ ‘ରାମାୟଣ’ । ରାମାୟଣର କାହାଣୀ କୌଣସି ଭାରତୀୟଙ୍କୁ ଅଜଣା ନାହିଁ । ସେହି କାହାଣୀକୁ ନେଇ ଫିଲ୍ମ ନିର୍ମାତା ନୀତେଶ ତିୱାରୀ ତିଆରି କରୁଛନ୍ତି ‘ରାମାୟଣ’ । ଏଯାଏଁ ସୁଟିଂ ଆରମ୍ଭ ହୋଇ ନ ଥିଲେ ବି ‘ରାମାୟଣ’କୁ ନେଇ ଏବେ ଭାରି ଚର୍ଚ୍ଚା । ଏଥିରେ ମୁଖ୍ୟ ଭୂମିକା ତଥା ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିବେ ରଣବୀର କପୁର । ଆଉ ସୀତା ଭୂମିକାର ନଜର ଆସିବେ ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ । ଏହି ଫିଲ୍ମକୁ ନେଇ ସାଇ ପଲ୍ଲବୀ ବହୁତ ଖୁସି ଅଛନ୍ତି । କାରଣ ସେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଛି ।
କିଛି ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଥିବା ତଥା ଜଣେ ସିଧାସାଦା ସରଳ ଝିଅର ଇମେଜ୍ ଥିବା ସାଇ ଏଥିରେ ସୀତାଙ୍କ ଭୂମିକାରେ ଅଛନ୍ତି । ସେ ଭୂମିକା ପାଇଁ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କର ପ୍ରଥମ ପସନ୍ଦ ଥିଲେ ଅସଲ ଜୀବନରେ ରଣବୀରଙ୍କ ପତ୍ନୀ ଆଲିଆ ଭଟ୍ଟ । ତେବେ ଡେଟ୍ସ କାରଣରୁ ଆଲିଆ ସେଥିରୁ ବାହାରିଯିବାକୁ ବାଧ୍ୟ ହୋଇଥିଲେ । ଶେଷରେ ଏହି ଭୂମିକାଟି ସାଇପଲ୍ଲବୀଙ୍କୁ ମିଳିଥିଲା । ଏହାକୁ ନେଇ ସେ ବହୁତ ଖୁସି ଓ ଉତ୍ସାହିତ ।
ଏହା ଜରିଆରେ ସେ କେବଳ ବଲିଉଡ୍ ବା ଉତ୍ତର ଭାରତରେ ନିଜର ଏକ ପରିଚୟ ତିଆରି ପାରିବେନି, ଦେଶ ବାହାରର ଦର୍ଶକଙ୍କ ଆଗକୁ ମଧ୍ୟ ଯାଇପାରିବେ । କଥା ସେତିକିରେ ଶେଷ ହେଉନି, ‘ରାମାୟଣ’ ତିନିଟି ଭାଗରେ ତିଆରି ହେବାର ଯୋଜନା ରହିଛି । ଏଇ ତିନିଟି ଭାଗରେ ପୂରା କାହାଣୀକୁ କହିବାର ପ୍ରୟାସ ରହିବ । ତେଣୁ ଏ ଫିଲ୍ମରେ ଅଭିନୟ କରିବାର ଅର୍ଥ ହେଉଛି ଏକାଥରେ ତିନିଟି ଚର୍ଚ୍ଚିତ ଫିଲ୍ମରେ ଅଭିନୟ କରିବାର ସୁଯୋଗ । ୟା’କୁ ନେଇ କିଏ ବା ଖୁସି ନ ହେବ! ନୀତେଶଙ୍କ ‘ରାମାୟଣ’ର ସୁଟିଂ ଆସନ୍ତା ବର୍ଷ ଫେବ୍ରୁଆରିରେ ଆରମ୍ଭ ହେବ ବୋଲି ଖବର ଅଛି ।
Comments are closed.