Latest Odisha News

‘ମିଳିତ ବିରୋଧୀ ଏକତା ମେଣ୍ଟ’ର ଜନଆକ୍ରୋଶ ସମାବେଶ ସାମୟିକ ସ୍ଥଗିତ

ଭୁବନେଶ୍ୱର: ସ୍ଥଗିତ ରହିଲା ‘ମିଳିତ ବିରୋଧୀ ଏକତା ମେଣ୍ଟ’ର ଜନଆକ୍ରୋଶ ସମାବେଶ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନବିରୋଧୀ ନୀତି ବିରୁଦ୍ଧରେ ରାଜ୍ୟର ଅଣବିଜେପି ଓ ଅଣ ବିଜେଡ଼ି ଦଳ ମାନଙ୍କ ପକ୍ଷରୁ ନଭେମ୍ବର ୮ ତାରିଖରେ ରାୟଗଡ଼ା ଠାରେ ଓ ନଭେମ୍ବର ୧୫ରେ ବାଲେଶ୍ୱର ଠାରେ ହେବାକୁ ଥିବା ମିଳିତ ଜନଆକ୍ରୋଶ ସମାବେଶକୁ ସାମୟିକ ପାଇଁ ସ୍ଥଗିତ ରଖାଯାଇଛି ।

ସଂଯୋଜନା କମିଟିର ଅଧ୍ୟକ୍ଷ ତଥା ପିସିସି ସଭାପତି ଶରତ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି ବୋଲି ମିଳିତ ବିରୋଧି ଏକତା ମେଣ୍ଟର ସଂଯୋଜକ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।

ପଡ଼ୋଶୀ ଛତିଶଗଡ଼ ନିର୍ବାଚନ ପ୍ରଚାରରେ ମିଳିତ ବିରୋଧି ମେଣ୍ଟର ଅଧ୍ୟକ୍ଷ ଶରତ ପଟ୍ଟନାୟକଙ୍କୁ ପ୍ରମୁଖ ଦାୟୀତ୍ୱ ଦିଆଯାଇଛି । ସେପଟେ କୋରାପୁଟର ସାଂସଦ ଓ ରାୟଗଡ଼ା ଜିଲ୍ଲା କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଛତିଶଗଡ଼ର ଦଳୀୟ ପ୍ରଚାର ଦାୟୀତ୍ୱରେ ରହିଥିବା ଯୋଗୁଁ ଏହି ସମାବେଶ ସାମୟିକ ଭାବେ ସ୍ଥଗିତ ରହିଥିବା କୁହାଯାଉଛି । ମେଣ୍ଟରେ ଥିବା ଅନ୍ୟ କେତେକ ରାଜନୈତିକ ଦଳର ଅନିବାର୍ଯ୍ୟ ରାଜନୈତିକ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା କାରଣରୁ ରାୟଗଡ଼ା ଓ ବାଲେଶ୍ୱର ଜନଆକ୍ରୋଶ ସମାବେଶ ନଭେମ୍ବର ୧୭ ତାରିଖ ପରେ ହେବ ବୋଲି ସ୍ଥିର ହୋଇଛି ।

ଦଳ ଗୁଡ଼ିକର ନେତୃମଣ୍ଡଳୀ ଏକ ବୈଠକରେ ମିଳିତ ହୋଇ ଜନଆକ୍ରୋଶ ସମାବେଶର ତାରିଖ ଚୂଡ଼ାନ୍ତ କରିବେ । ଏହି ତାରିଖ ପରିବର୍ତ୍ତନକୁ ସହୃଦୟତାର ସହ ଗ୍ରହଣ କରିବାପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

Comments are closed.