ନୂଆଦିଲ୍ଲୀ: ଥମିନି ଇସ୍ରାଏଲ–ହମାସ ଯୁଦ୍ଧ । ରବିବାର ଇସ୍ରାଏଲ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ହମାସ ଆତଙ୍କୀ ସଂଗଠନର ରିଜିଓନାଲ ଆର୍ଟିଲାରିର ଡେପୁଟି ହେଡ ମୁହମ୍ମଦ କଟମଶ ନିହତ ହୋଇଛନ୍ତି । ଇସ୍ରାଏଲ ସୁରକ୍ଷା ବଳ(IDF) ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । କଟମଶ ଆତଙ୍କବାଦୀ ସଂଗଠନର ସେଣ୍ଟ୍ରାଲ କ୍ୟାମ୍ପର ଦାୟିତ୍ୱ ସମ୍ଭାଳୁଥିଲେ । ଗାଜା ପଟ୍ଟିରେ ସଂଘର୍ଷ ସମୟରେ ଇସ୍ରାଏଲ ବିରୋଧରେ ଫାୟାର ପ୍ଲାନିଂରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଇସ୍ରାଏଲ ସୁରକ୍ଷା ବଳ ଶନିବାର ହମାସର ଜଣେ କମାଣ୍ଡୋଙ୍କୁ ମଧ୍ୟ ଧରି ନେଇଛନ୍ତି ।
ଇସ୍ରାଏଲ ପୂର୍ବରୁ ଗାଜା ପଟ୍ଟିରେ ହମାସ ଆଡ୍ଡା ସ୍ଥଳୀକୁ ଟାର୍ଗେଟ କରିଥିଲା । ଏବେ ୱେଷ୍ଟ ବ୍ୟାଙ୍କରେ ଥିବା ହମାସ ଆଡ୍ଡା ଉପରେ ଚଢାଉ ଆରମ୍ଭ କରିଛି ଇସ୍ରାଏଲ । ଗତକାଲି ଇସ୍ରାଏଲି ସେନା ୱେଷ୍ଟ ବ୍ୟାଙ୍କରେ ଥିବାଏକ ମସଜିଦର ଅଣ୍ଡରଗ୍ରାଉଣ୍ଡ ଏରିଆ ଉପରେ ଆକ୍ରମଣ କରିଥିଲା । ଏହା ଏକ ଆତଙ୍କବାଦୀଙ୍କର ଏକ ବଡ ଆଡ୍ଡା ଥିଲା ବୋଲି କୁହାଯାଉଛି ।
ଅଲଜଜିରାର ତଥ୍ୟ ଅନୁଯାୟୀ, ଗତ ରାତିରେ ଗାଜାରେ ସବୁଠାରୁ ବଡ ଧରଣର ସଂଘର୍ଷ ହୋଇଛି । ଆଇଡିଏଫ ସହ ହୋଇଥିବା ଯୁଦ୍ଧରେ ହିଜବୁଲ୍ଲାର ୮ ଜଣ ସେନାଙ୍କର ମୃତ୍ୟୁ ଘଟିଛି ।
ପାଲେଷ୍ଟାଇନର ଚରମପନ୍ଥୀ ହମାସ ପକ୍ଷରୁ ଅକ୍ଟୋବର ୭ ତରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଇସ୍ରାଏଲର ୧୪୦୦ରୁ ଲୋକ ମୃତ୍ୟୁ ବରଣ କଲେଣି । ପାଖାପାଖି ୫ ହଜାର ଲୋକ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ହମାସ ୨୧୫ ଜଣଙ୍କୁ ବନ୍ଧକ ରଖିଛି । ପାଲେଷ୍ଟାଇନ ଅଧିକାରୀଙ୍କ ଅନୁସାରେ, ଇସ୍ରାଏଲ–ହମାସ ଯୁଦ୍ଧ ଆରମ୍ଭ ହେବା ପରେ ଗାଜାରେ ଇସ୍ରାଏଲର ଆକାଶମାର୍ଗରୁ ହୋଇଥିବା ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୬୫୧ ଜଣଙ୍କ ଜୀବନ ଗଲାଣି । ୧୨, ୨୪୫ ଜଣ ଆହତ ହୋଇଛନ୍ତି ।
ରଏଟର୍ସର ସୂଚନା ଅନୁଯାୟୀ, ପାଲେଷ୍ଟାଇନର କହିବା ଅନୁଯାୟୀ, ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ଚାଲିଯିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ଚେତାବନୀ ଦିଆ ଯାଇଛି । ସେନା ପକ୍ଷରୁ କୁହାଯାଇଛି, ଯଦି ସେମାନେ ସେଠାରେ ରୁହନ୍ତି ତେବେ ଆତଙ୍କୀ ସଂଗଠନ ପ୍ରତି ସେମାନଙ୍କର ସହନଭୂତି ଥିବା ବିଚାର କରାଯିବ । ଇତିମଧ୍ୟରେ ଗାଜାରେ ମାନବୀୟ ସହାୟତା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଛି । ମିଶର ମିଡିଆର କହିବା ଅନୁଯାୟୀ, ରବିବାର ୧୭ଟି ଟ୍ରକରେ ସହାୟତା ଗାଜାକୁ ପଠାଯାଇଛି । ଅନ୍ୟପକ୍ଷେ ଶନିବାର ଖାଦ୍ୟ,ପାନୀୟ ନେଇ ୨୦ଟି ଟ୍ରକ ଯୁଦ୍ଧ ପାଲେଷ୍ଟାଇନକୁ ଯାଇଥିଲା ।
Comments are closed.