Latest Odisha News

ଦୁଇ ବନ୍ଧକଙ୍କୁ ଛାଡିଲା ହମାସ: ସେପଟେ ଇସ୍ରାଏଲର ଘୋଷଣା-ଗାଜାରେ ହମାସ ଶାସନ ରହିବ ନାହିଁ

ଗାଜା:ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ । ହମାସ ପକ୍ଷରୁ ଦାବି କରାଯାଇଛି, ଗାଜା ପଟ୍ଟିରେ ଇସ୍ରାଏଲ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ସେପଟେ ଇସ୍ରାଏଲ ସରକାର ପକ୍ଷରୁ କୁହାଯାଇଛି, ଗାଜା ପଟ୍ଟିରେ ହମାସର ଶାସନ ରହିବ ନାହିଁ ।

ଅନ୍ୟପକ୍ଷେ ହମାସ ପକ୍ଷରୁ ସୋମବାର କୁହାଯାଇଛି, ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ ପରେ ବନ୍ଧକ ଭାବେ ଗାଜାପଟ୍ଟି ଆଣିଥିବା ୨ ଜଣ ମହିଳାଙ୍କୁ ଛାଡି ଦେଇଛି । କତାର ଏବଂ ମିଶର ମଧ୍ୟସ୍ଥତା ପରେ ଏହି ଦୁଇ ବନ୍ଧକଙ୍କୁ ମାନବିକତା ଦୃଷ୍ଟିରୁ ଛାଡି ଦିଆଯାଇଛି । ତେବେ ଇସ୍ରାଏଲ ଅଧିକାରୀ ଏହାର ସୂଚନା ଦେଇ ନାହାନ୍ତି । ହେଲେ ଇସ୍ରାଏଲ ମିଡିଆ ପକ୍ଷରୁ କୁହାଯାଇଛି, ଦୁଇ ମହିଳାଙ୍କୁ ଗାଜା ଏବଂ ମିଶର ମଝିରେ ରାଫା ସୀମାକୁ ନିଆ ଯାଇଥିଲା ।

ଇସ୍ରାଏଲ ସରକାରଙ୍କର ଜଣେ ପ୍ରବକ୍ତା ଇଲୋନ ଲେବି କହିଛନ୍ତି, ଏହି ଯୁଦ୍ଧ ଶେଷ ହେବା ପରେ ଗାଜା ପଟ୍ଟି ଉପରେ ହମାସର ଶାସନ ରହିବ ନାହିଁ । ଇସ୍ରାଏଲ ସୋମବାର ମଧ୍ୟ ଗାଜା ଉପରେ ଆକାଶମାର୍ଗରୁ ଆକ୍ରମଣ କରିଛି । ଏଥିସହିତ ସାରା ରାତି ଦକ୍ଷିଣ ଲେବାନନ ଉପରେ ମଧ୍ୟ ଆକ୍ରମଣ କରିଛି ।

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋବ ଗ୍ୟେଲେଣ୍ଟ କହିଛନ୍ତି, ପାଲେଷ୍ଟାଇନ ଆତଙ୍କୀ ହମାସ ସହ ଯୁଦ୍ଧ ଏବେ ଆହୁରି ଜୋରଦାର ହେବ । ଆକାଶ, ସମୁଦ୍ର ଏବଂ ସ୍ଥଳ ଭାଗରୁ ଆକ୍ରମଣ ଜୋରଦାର କରାଯିବ । ଯୁଦ୍ଧ ସ୍ଥିତିକୁ ଦେଖି ନେତନ୍ୟାହୁ ତାଙ୍କର ଟପ ଜେନେରାଲ ଏବଂ ଯୁଦ୍ଧ ମନ୍ତ୍ରୀମଣ୍ଡଳ ବୈଠକ ଡାକିଛନ୍ତି ।

ଯୁଦ୍ଧ ଗ୍ରସ୍ତ ଗାଜା ପଟ୍ଟିରେ ଥିବା ଲୋକଙ୍କୁ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ୨ କୋଟି ପାଉଣ୍ଡ ଘୋଷଣା କରିଛନ୍ତି ।

Comments are closed.