Latest Odisha News

ବିଜେଡି-ବିରୋଧୀ ଟଣାଓଟରା-ରାଜନୀତିକୁ ଆସିଲେ ପାଣ୍ଡିଆନଙ୍କୁ ଜନତା ଗ୍ରହଣ କରିବେ ତ ?

ଭୁବନେଶ୍ୱର:ସିଧାସଳଖ ରାଜନୀତିକୁ ପଶିବେ କି ପାଣ୍ଡିଆନ ? ୨୦୨୪ ନିର୍ବାଚନ ଲଢିବେ କି ? ଯଦି ଲଢିବେ ଜନତା ତାଙ୍କୁ ଗ୍ରହଣ କରିବେ ତ ? ପୂର୍ବତନ ଆଇଏଏସ ଅଫିସର ତଥା ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଅଚାନକ ଇସ୍ତଫା ପରେ ଏମିତି ଅନେକ ପ୍ରଶ୍ନ ମନକୁ ଆସୁଛି । ଜନତାଙ୍କ ମନରେ ଥିବା ଏପରି ପ୍ରଶ୍ନକୁ ବିଜେଡି କର୍ମୀଙ୍କ ବୟାନବାଜି ଇନ୍ଧନ ଯୋଗାଉଥିବାବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ଭିନ୍ନ ମତ ରଖିଛନ୍ତି । ସିଧାସଳଖ ନିର୍ବାଚନକୁ ଆସିଲେ ପାଣ୍ଡିଆନଙ୍କୁ ଭୋଟର ଗ୍ରହଣ କରିବା ନେଇ ସନ୍ଦେହରେ ଅଛନ୍ତି ବିଜେପି ଓ କଂଗ୍ରେସ । ଅନ୍ୟପକ୍ଷେ ବିଜେଡି କହୁଛି, ପାଣ୍ଡିଆନ ସିଧାସଳଖ ରାଜନୀତିକୁ ଓହ୍ଲାଇ ଆସିବା ଉଚିତ । ସେ ଆସିଲେ ଲାେକେ ତାଙ୍କୁ ସ୍ୱାଗତ କରିବେ ।

ପଦରୁ ଇସ୍ତଫା ଦେବାର ପରଦିନ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ମନ୍ତ୍ରୀ ପାହ୍ୟା । ୨୦୦୦ ବ୍ୟାଚ ଓଡ଼ିଶା କ୍ୟାଡର ଭିକେ ପାଣ୍ଡିଆନଙ୍କୁ ଦିଆଯାଇଛି ୫ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ପଦ । ପଦବୀ ମିଳିବା ପରେ ସେ ସିଧାସଳଖ ନିର୍ବାଚନକୁ ଆସିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି । ଗଞ୍ଜାମର ବରିଷ୍ଠ ବିଜେଡି ନେତା ଚନ୍ଦ୍ରଶେଖର ଚ୍ୟାଉ ପଟ୍ଟନାୟକ କହିଛନ୍ତି, ପାଣ୍ଡିଆନ ଦକ୍ଷିଣ ଓଡ଼ିଶା ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ଯେଉଁଠୁ ବି ଛିଡା ହେଲେ ଲୋକେ ତାଙ୍କୁ ସ୍ୱାଗତ କରିବେ ।

୨୦୦୭ରେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲପାଳ ଥିବାବେଳେ ଜଣେ ପ୍ରଶାସକ ଭାବେ ନିଜ ଦକ୍ଷତା ପ୍ରମାଣିତ କରି ଦେଇ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିବେବେଳେ ଅନେକ ଉନ୍ନୟନମୂଳକ କାମ କରିଛନ୍ତି । ‘ସେ ଭୋଟର ପାଇଁ ଜଣେ ଅତି ଲୋକପ୍ରିୟ ବ୍ୟକ୍ତି ଓ ରାଜନେତା’ ବୋଲି କହିଛନ୍ତି ଚ୍ୟାଉପଟ୍ଟନାୟକ ।

ସେହିପରି ବଡଚଣା ବିଧାୟକ ଅମର ଶତପଥୀ ବୟାନ ଦେଇ କହିଛନ୍ତି, ଯଦି ପାଣ୍ଡିଆନ ବିଜେଡିରେ ଯୋଗ ଦିଅନ୍ତି ତେବେ ଦଳକୁ ବହୁତ ଲାଭ ମିଳିବ ।ତେବେ ସେ ଦଳରେ ଯୋଗ ଦେବେ କି ନାହିଁ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି ସେ କହିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଥିବାବେଳେ ତାଙ୍କର କାମ ଦେଖି ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜ କାର୍ଯ୍ୟାଳୟକୁ ନେଇ ଆସିଥିଲେ ବୋଲି କହିଛନ୍ତି ଅମର ଶତପଥୀ ।

ଏପଟେ ପିସିସି ସଭାପତି ଶରତ ପଟ୍ଟନାୟକ ପାଣ୍ଡିଆନଙ୍କୁ କ୍ୟାବିନେଟ ପହ୍ୟା ଦିଆଯିବା ଘଟଣାକୁ ନେଇ କଡା ସମାଲେଚାନା କରିଛନ୍ତି । ଓଡ଼ିଶାର ଜନତା ତାଙ୍କୁ ଜଣେ ନେତା ଭାବେ କେବେ ବି ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଶରତ ପଟ୍ଟନାୟକ । ବିଜେଡି ଓ ତାର ନେତାମାନେ ହୁଏତ ପାଣ୍ଡିଆନଙ୍କୁ ସେମାନଙ୍କର ନେତା ବୋଲି ଗ୍ରହଣ କରପାରନ୍ତି କିନ୍ତୁ ଓଡ଼ିଶା ଲୋକେ ତାଙ୍କୁ ନେତାଭାବେ କଦାପି ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ ।

ସେହିପରି ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି, ତାଙ୍କ ପ୍ରଶାସନିକ କ୍ୟାରିଅରରେ ଯେମିତି ପାଣ୍ଡିଆନ କରିଥିଲେ, ସେମିତି ଏବେ ବି ସେ ପଛଦ୍ୱାର ଦେଇ ବିଜେଡି ଭାୟାରେ ରାଜନୀତିରେ ପ୍ରବେଶ କରୁଛନ୍ତି । ବର୍ତ୍ତମାନ ବିଜେଡିରେ ଦଳୀୟ କନ୍ଦଳ ଲାଗି ରହିଥିବାବେଳେ ପାଣ୍ଡିଆନ ଏହାକୁ ନିୟନ୍ତ୍ରଣରେ ରଖନ୍ତୁ ବୋଲି ବିଜେଡି ଅଧ୍ୟକ୍ଷ ଚାହୁଁଛନ୍ତି । ରାଜ୍ୟ ପ୍ରଶାସନରେ କରିବା ପରି ସେ ଦିନେ ଦଳକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନିଜ କବ୍ଜାକୁ ନେଇଯିବେ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ।

ତେବେ ଏସବୁ ବାଦବିବାଦ, କଳ୍ପନାଜଳ୍ପନା ମଧ୍ୟରେ ପାଣ୍ଡିଆନ କୌଣସି ମନ୍ତବ୍ୟ ରଖିନାହାନ୍ତି ।

Comments are closed.