ଭୁବନେଶ୍ବର : ଆନ୍ଧ୍ର –ଓଡିଶା ସୀମାରେ ଟ୍ରେନ୍ ଦୁର୍ଘଟଣା ଘଟଣା । ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଦୁର୍ଘଟଣାରେ ଗୁରୁତର ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ରେଳ ଦୁର୍ଘଟଣାସ୍ଥଳକୁ ରାଜସ୍ବ ମନ୍ତ୍ରୀଙ୍କୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ବ ମନ୍ତ୍ରୀଙ୍କ ସହ ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ ମଧ୍ୟ ଯିବାକୁ ନିର୍ଦ୍ଦଶ ରହିଛି । ଘଟଣାସ୍ଥଳ ସହ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବେ ।
ଅନ୍ୟପଟେ ରେଳ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ମୂଳକ ରାଶି ଦିଆଯିବ । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମୃତାହତଙ୍କୁ ସହାୟତା ରାଶି ଦିଆଯିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଗତକାଲି କଣ୍ଟାକାପାଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ ଲୋକ ପାଇଲଟ୍ , ଗାର୍ଡଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୫୦ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଥିବାବେଳେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।
Comments are closed.