Latest Odisha News

ବିଶ୍ୱ ସହର ଦିବସରେ ଓଡ଼ିଶାର ଆଭିମୁଖ୍ୟ

ପୀୟୂଷ ରଞ୍ଜନ ରାଉତଙ୍କ ଆଲେଖ୍ୟ

ଆମେ ବର୍ତ୍ତମାନ ଏକ ସହରୀ ସଭ୍ୟତାରେ ବସବାସ କରୁଛେ ; ଯାହାକୁ ସହର ଶତାବ୍ଦୀ ବୋଲି କହିବାରେ କିଛି ଆସିବିଧା ହବନି ଏବଂ ମିଳିତ ଜାତିସଂଘର ଭବିଷ୍ୟତ ଚିନ୍ତାଧାରା ଅନୁସାରେ ୨୦୩୦ ସୁଦ୍ଧା ସମଗ୍ର ବିଶ୍ୱରେ ୭୦% ଲୋକ ସହରରେ ବସବାସ କରିବେ । ସହରୀକରଣର ଐତିହାସିକ ପୃଷ୍ଠଭୂମି ଦେଖିଲେ ଜାଣିବାକୁ ମିଳେ ସହରୀକରଣ ବିଶ୍ୱର ବହୁ ଦେଶର ଅର୍ଥନୀତି ଅଭିବୃଦ୍ଧିରେ ବହୁତ ବଡ଼ ଭୂମିକା ଗ୍ରହଣ କରିଛି । ଆପାତଃ ବିଶ୍ୱର ୭୫% ଅର୍ଥନୀତିର ଆଦାନ ପ୍ରଦାନ ସହର ମଧ୍ୟରେ ଘଟିଥାଏ ; ଯାହାକି ବହୁତ ଲୋକଙ୍କୁ ଗରିବ ସୀମା ରେଖାଠୁଁ ଉପରକୁ ଉଠେଇ ପାରିଛି । ଆଉ ଏହା ମଧ୍ୟ ସତ୍ୟ ଯେ ସହରୀକରଣରେ ଅଧିକ ପ୍ରାକୃତିକ ସମ୍ବଳ ବ୍ୟବହାର ହୋଇଥାଏ ଏବଂ ବିଶ୍ୱର ୩% ଜାଗା ବ୍ୟବହାର କରିଥାନ୍ତି। ବିଶ୍ୱର ୬୦% ସହର ଅଧିବାସୀ ୭୫% ସମ୍ବଳ ବ୍ୟବହାର କରିଥାନ୍ତି I ସବୁଠୁ ବଡ ବିଷୟ ସହରୀକରଣ ବିଶ୍ୱର ଦୁଇ ତୃତୀୟାଂଶ ଶକ୍ତି ବ୍ୟବହାର କରିଥାନ୍ତି ଏବଂ ସବୁଜ କୋଠରୀ ବାଷ୍ପ ପ୍ରଭାବର କାରଣ ମଧ୍ୟ । ଯଦି ଏହି ବିକଶିତ ସହରମାନଙ୍କ ଭଳି ଓଡ଼ିଶାର ସହରମାନେ ସହରୀକରଣରେ ଭାଗିଦାର ହେବେ ତେବେ ଏହାକୁ ଅପାତତଃ ଗୋଟେ ବିଶ୍ୱର ସମ୍ବଳ ଦରକାର ପଡିବ। ଯେଉଁଟାକି ଅସମ୍ଭବ । ଏଣୁ ଓଡ଼ିଶାର ସହରମାନଙ୍କୁ ଏକ ଉନ୍ନତ ଶୈଳୀରେ ପରିବେଶ ସୁରକ୍ଷିତ ରଖି ଗଢ଼ିବାକୁ ପଡିବ, ଆଉ ସହରକୁ ନିରନ୍ତର ସହରୀକରଣ ଯୋଜନା ସହିତ ଆଗେଇବାକୁ ପଡ଼ିବ ।

ନିକଟରେ କିଛି ଅଧ୍ୟୟନରୁ ଜଣାପଡେ ଯେ ଭାରତ ଏକ ବୃହତ ସହରୀକରଣ ଆଡକୁ ବଢୁଛି, ଯାହାକି ୨୦୩୦ସୁଦ୍ଧା ସମ୍ଭବତଃ ୩୫୦ ନିୟୁତ ଜନସଂଖ୍ୟା ଏହାର ସହରରେ ବସ ବାସ କରୁଥିବେ ଏବଂ ୨୦୫୦ ବେଳକୁ ଏହା ୭୦୦ ନିୟୁତରେ ପହଞ୍ଚିବ। ସେହିଭଳି ଓଡ଼ିଶାର ଜନସଂଖ୍ୟାର ୧୬% ଲୋକେ ବର୍ତ୍ତମାନ ସହରରେ ବସବାସ କରୁଛନ୍ତି ଯାହାକି ୨୦୩୦ ବେଳକୁ ସମ୍ଭବତଃ ୨୫%ପହଞ୍ଚିପାରେ । କିନ୍ତୁ ସହରାଞ୍ଚଳରେ ବସବାସ କରିବାପାଇଁ ଯେଉଁଭଳି ମାନଦଣ୍ଡର ସୁବିଧା ସୁଯୋଗ ରହିବା କଥା ଆଜି ମଧ୍ୟ ସହରରେ ଦେଖିବାକୁ ମିଳୁନି। ଯାହାଫଳରେ ସହରମାନଙ୍କରେ ସମସ୍ୟା ବହୁତ ଦେଖିବାକୁ ମିଳୁଛି। ଯଥା:- ପିଇବା ପାଣି, ପରିମଳ ଏବଂ ଗମନା ଗମନର ସୁବିଧା। ଏହା ସତ୍ତ୍ୱେବି ସହର ଭିତ୍ତିଭୂମିର ବିକାଶ ପାଇଁ ପ୍ରତି ବାସିନ୍ଦାଙ୍କ ପାଇଁ ଖର୍ଚ୍ଚ ହେଉଛି ଅପାତତଃ $୨୦ ଆମେରିକୀୟ ଡଲାର, ଯାହାକି ବ୍ରିଟେନରେ $୮୦୦ ଆମେରିକୀୟ ଡଲାର ଏବଂ ଚୀନରେ $୧୨୦ ଆମେରିକୀୟ ଡଲାର। ସମ୍ଭବତଃ ସହରମାନଙ୍କୁ ଗ୍ରାମାଞ୍ଚଳ ଅପେକ୍ଷା ବହୁତ କମ ଅର୍ଥ ପ୍ରଦାନ କରାଯାଉଛି। ଫଳସ୍ୱରୂପ ଭାରତର ସହରମାନେ ବିଶ୍ୱ ସ୍ତରର ସହରମାନଙ୍କଠୁଁ ବହୁତ ପଛରେ ପଡିଯାଇଛନ୍ତି I କିନ୍ତୁ ସବୁଠୁଁ ବଡ଼ ସୁଯୋଗ ହେଉଛି ସମଗ୍ର ବିଶ୍ୱରେ ଯେତେବେଳେ ସହରୀକରଣରେ ଆଗଉଛି ଠିକ ସେତିକି ବେଳେ ଓଡ଼ିଶା ଜନସଂଖ୍ୟାରେ ମଧ୍ୟ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ସମ୍ଭବତଃ ଓଡିଶା ପାଇଁ ଏହା ଏକ ସୁଯୋଗ । ନିଜର ସହରମାନଙ୍କ ମାନ ବଢାଇବା ପାଇଁ ଏବଂ ଅର୍ଥନୈତିକ ସୁଯୋଗର ଭରପୁର ଫାଇଦା ନେବାପାଇଁ । କାରଣ ବିଶ୍ୱସ୍ତରୀୟ ସହରମାନଙ୍କୁ ଦେଖିଲେ ଏହା ଜଣାପଡ଼େ ଯେ ବହୁତ ସହରମାନଙ୍କରେ ଏବେ ବୟସ୍କ ଲୋକଙ୍କ ଜନସଂଖ୍ୟ ବଢ଼ିବାରେ ଲାଗିଛି। ଯଥା:- ଆମେରିକା, ଇଉରୋପ, ଜାପାନ ଭଳି ଇତ୍ୟାଦି ସହରରେ। କିନ୍ତୁ ଭାରତ ହେଉ କିମ୍ବା ଓଡ଼ିଶାର ସହର ହଉ, ଏବେ ବି ଯୁବକଙ୍କୁ ନେଇ ଆଗକୁ ବଢୁଛି । ସବୁଠୁଁ ବଡ଼କଥା ହେଉଛି ସହରୀକରଣ ଭବିଷ୍ୟତ ରାଜନୀତି ଉପରେ ନିଜର ଚାପି ପକେଇବ । ଯଥା:- ଭବିଷ୍ୟତ ରାଜନୀତି ଗ୍ରାମାଞ୍ଚଳ ଅପେକ୍ଷା ସହରରେ ପରିଗଣିତ ହେବ। ଆଉ ବିତର୍କ ଧର୍ମ ଏବଂ ଜାତି ଅପେକ୍ଷା ଅଧିକ ଭିତ୍ତିଭୂମି, ରାସ୍ତା, ଦ୍ରୁତଗାମୀ ଟ୍ରେନ, ପରିବହନ, ପରିମଳ ଏବଂ ରୋଜଗାରକୁ ନେଇ ଘଟିବ। ଯାହାର ଚିତ୍ର ଏବେ ଦେଖିବାକୁ ମିଳିଲାଣି ।

ବର୍ତ୍ତମାନ ଯଦି ଭୁବନେଶ୍ୱର ଭଳି ସହରକୁ ଦେଖିବା ତେବେ ଏହା ସ୍ପଷ୍ଟ ଯେ ଏଠି ସବୁଠୁ ବଡ ସମସ୍ୟା ହଉଛି ସରକାର କେତେ ଶୀଘ୍ର ଭିତ୍ତିଭୂମି ପ୍ରସ୍ତୁତ କରିବେ ଏବଂ ଯୁବପୀଢ଼ିମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ।ଯାହା କେବଳ ସମ୍ଭବ ଘଟିବ ଅଧିକ କୌଶଳ ଥିବା ପାଠ୍ୟକ୍ରମରେ ଏବଂ ନୂତନ କାରିଗରୀ କୌଶଳରେ । ରାଜ୍ୟର ଅର୍ଥନୀତିରେ ଅଭିବୃଦ୍ଧିରେ ଭୁବନେଶ୍ୱର ସହର ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ। ସହରୀକରଣ ଯୋଗୁଁ ସମ୍ଭବତଃ ଏକ ପରିବର୍ତ୍ତନ ଦେଖିବାକୁ ମିଳିବ। ଯାହାର କିଛି କିଛି ଉଦାହରଣ ଏବେ ସହରରେ ଦେଖିବାକୁ ମିଳିଲାଣି।କୃଷିଭିତ୍ତିକ କାର୍ଯ୍ୟରୁ ବ୍ୟବସାୟିକ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରୁଛି। ଅନ୍ୟପଟେ ଓଡ଼ିଶା ଗୋଟେ କୃଷି ପ୍ରଧାନ ରାଜ୍ୟ ଯାହାର ଫଳ ସ୍ୱରୂପ ଏହାର ସହର ଆଜି ବି ଅନ୍ୟ ରାଜ୍ୟ ତୁଳନାରେ ସହରୀକରଣରେ ପଛୁଆ । କିନ୍ତୁ ଏହା ବର୍ତ୍ତମାନ ଏକ ସୁଯୋଗ ଓଡ଼ିଶାର ସହରମାନଙ୍କ ପାଇଁ ଏକ ଯୋଜନାବଧ ସୁନ୍ଦର ସହର ଗଢିବା ପାଇଁ । ଯୋଜନାବଧ ସୁନ୍ଦର ସହର ମାନେ ନୁହେଁ କେବଳ ଉଚ୍ଚ ଅଟ୍ଟାଳିକା ତିଆରି କରିବା ଅଥବା ରାସ୍ତା ଚୌଡା କରିବା ବରଂ ଏହା ଏକ ସୁଯୋଗ ସହରକୁ ଗରିବ ମୁକ୍ତ କରିବା, ଅର୍ଥନୈତିକ ଅଭିବୃଦ୍ଧି , ପରିବେଶ ସନ୍ତୁଳିତ ଏବଂ ଜଳ ବାୟୁ ପରିବର୍ତ୍ତନକୁ ନେଇ ଏକ ଭବିଷ୍ୟତର ସହର ଗଢିବା । ଯାହାର ଫଳସ୍ଵରୁପ ଭୁବନେଶ୍ୱର ଏବଂ ଆଉ କିଛି ସହରକୁ ନେଇ ଓଡ଼ିଶା ନିଜ ଛବି ସମଗ୍ର ଭାରତ ବର୍ଷରେ ଏକ ନୂତନ ଚିନ୍ତାଧାରାର ରଚନା କରିପାରିବେ । ଯେପରି ଦକ୍ଷିଣ କୋରିଆ ନିଜର ସିଓଲ ସହରକୁ ସମଗ୍ର ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିପାରିଲେ ଏକ ଗରିବ କୃଷି ପ୍ରଧାନ ଦେଶରୁ ବିଶ୍ୱର ପ୍ରମୁଖ ଅର୍ଥନୈତିକ ପେଣ୍ଠସ୍ଥଳୀ ଭାବରେ କେବଳ ତିରିଶି ବର୍ଷ ମଧ୍ୟରେ ।

ସିଓଲ ଭଳି ବିଶ୍ୱରେ ଅନେକ ସହର ଅଛନ୍ତି ଯେଉଁମାନେ ନୂତନତ୍ବକୁ ମାନଦଣ୍ଡ କରି ଆଜି ସାରା ବିଶ୍ୱ ପାଇଁ ଉଦାହରଣ ହେଇପାରିଛନ୍ତି। ଏହାର ଉଦାହରଣ ଭୁବନେଶ୍ୱର ନେଇପାରିବ ଏବଂ ଏକ ବିଶ୍ୱ ସ୍ତରୀୟ ସହର ଭାବେ ଗଢି ଉଠିପାରିବ । ଯେପରି ସିଙ୍ଗାପୁର ଏକ ଉଦାହରଣ ସାରା ବିଶ୍ୱ ପାଇଁ ସହର ଜଳ ପରିଚାଳନା ପାଇଁ, କାରଣ ଗୋଟେ ସହର ବଞ୍ଚିବା ପାଇଁ ଜଳ ଦରକାର । କିନ୍ତୁ ସ୍ୱାଧୀନତା ପରେ ସିଙ୍ଗାପୁର ପାଖେ ନିଜର ପିଇବାପାଇଁ ମଧୁର ଜଳ କଷ୍ଟକର ବ୍ୟପାର ଥିଲା, ଏଠି ସହରର ସମସ୍ତ ବର୍ଷା ଜଳ ପୁଷ୍କରଣୀରେ ସଂଗ୍ରହ କରାଯାଏ ଏବଂ ସମସ୍ତ ଅସନା ପାଣିକୁ ସଂରକ୍ଷଣ କରି ପୁଣି ବ୍ୟବହାର ଯୋଗ୍ୟ କରାଯାଏ । ସିଙ୍ଗାପୁର ବିଶ୍ୱର ଏପରି ଏକ ସହର ଯେଉଁଠି ବିଭିନ୍ନ ସ୍ତରର ଜଳ କର ଆଦାୟ କରାଯାଏ ଓ ଜଳ ଯୋଗାଣରେ ଜଳ ନଷ୍ଟ ହୁଏ ନାହିଁ ଏବଂ ସିଙ୍ଗାପୁର ବର୍ତ୍ତମାନ ଅନ୍ୟ ଦେଶ ଉପରେ ମଧ୍ଯ ନିର୍ଭର କରୁନି ମଧୁର ଜଳ ପାଇଁ । ଠିକ ସିଙ୍ଗାପୁର ପରି ଆଉ ଏକ ସହର ହଉଛି ବୋଗଟା ଯାହାକି ବିଶ୍ୱରେ ସୁନ୍ଦର ପରିବହନ ପରିକଳ୍ପନା କରି ଯୋଜନାକୁ ଆଗେଇନେପାରିଛନ୍ତି । ବୋଗଟା ସହର ନିଜ ଭୂମିରେ କର ରାସ୍ତା କରିବା ଅପେକ୍ଷା ୪୦୦ କିଲୋମିଟର ସାଇକେଲ ରାସ୍ତା ପ୍ରସ୍ତତ କରିଛନ୍ତି। ଯାହାକୁ ୪୦ ପ୍ରତିଶତରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି ।

ସେହିଭଳି କୁରୀଟିବା ସହର ନିଜର ବସ ପରିବହନ ପାଇଁ ସାରା ବିଶ୍ୱରେ ଉଦାହରଣ ହୋଇପାରିଛି । ଏହି ବସ ଯୋଜନା ପରେ କୁରୀଟିବା ସହର ନିଜର ପରିବହନ ଜନିତ ସମସ୍ୟାକୁ ବହୁମାତ୍ରାରେ କମାଇପାରିଛି। ଲୋକମାନେ ନିଜର ତୈଳ ବ୍ୟବହାର ଖର୍ଚ୍ଚ କମାଇପାରିଛନ୍ତି ଏବଂ ବାୟୁକୁ ସୁନ୍ଦର କରିପାରିଛନ୍ତି I ଏନ୍ୟପଟରେ ଜାପାନର ୟୋକହମା ସହର ଲୋକ ସଂଖ୍ୟା ବଢିବା ପରେବି ୪୦ % ଅଳିଆ ସହରରୁ ବାହାରିବା କମେଇପାରିଲେ କେବଳ ଲୋକଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ବାର୍ତ୍ତା ମାଧ୍ୟମରେ ଏବଂ ଲୋକମାନଙ୍କ ସହଯୋଗିତା ଯୋଗୁଁ । ସବୁଠୁ ସୁବିଧା ହଉଛି ବର୍ତ୍ତମାନ ସୂଚନା ଏବଂ ପ୍ରଯୁକ୍ତି ମାଧ୍ୟମରେ ସହର ପରିକଳ୍ପନା କରାଯାଇପାରିବ। ଆଉ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାକୁ ଅତ୍ୟାଧୁନିକ ସହର ଗଠନ କରାଯାଇପାରିବ । ଏହା ବର୍ତ୍ତମାନ ସମୟରେ ଦରକାର । କାରଣ ଭବିଷ୍ୟତରେ ଭୂମି, ଜଳ, ଗ୍ୟାସ ଏତେ ସହଜରେ ମିଳିନପାରେ ; ତେଣୁ ଆମକୁ ଅଳ୍ପ ଜାଗାରେ କିପରି ଅଧିକ ଲୋକ ବସବାସ କରିପାରିବେ ଏବଂ ସୁରକ୍ଷିତରେ ରହିପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ। ଯେଉଁଠି ଭଲ ପରିବହନ ସୁବିଧା ଯୋଗାଇ ଦିଆଯାଇ ଯାଇପାରିବ। ଅଳିଆ ପାଣି ପୁନଃ ବ୍ୟବହାର ଯୋଗ୍ୟ ହେଇ ପାରୁଥିବ। ବର୍ଷା ଜଳ ନଦୀକୁ ଯିବା ଆପେକ୍ଷା ସହର ମଧ୍ୟରେ ବ୍ୟବହାର ହେଇପାରୁଥିବ। ଘରମାନକୁ ବିଦ୍ୟୁତ ସୌର କିରଣରୁ ଆସୁଥିବ। ସହରର ସମସ୍ତ ଅଳିଆ ଆବର୍ଜନା ପୁନଃ ବ୍ୟବହାର ହେଇ ପାରିଥିବ ଏବଂ ସମସ୍ତ ନାଗରିକ ସବୁ ପ୍ରକାର ସୁବିଧା ପାଇପାରୁଥିବେ। ସବୁକିଛି ସ୍ବପ୍ନ ଭଳି ଲାଗିପାରେ କିନ୍ତୁ ଭୂବନେଶ୍ୱର ପାଇଁ ୟେ ସବୁ ସମ୍ଭବ ।

ଶେଷରେ ଭୁବନେଶ୍ୱର ଏବଂ ଓଡ଼ିଶା ସହରୀକରଣ ଦିଗରେ ଅଗ୍ରସର ହଉଛନ୍ତି। ଆଉ ବହୁତ ବାଧାବିଘ୍ନର ମଧ୍ୟ ସମୁଖୀନ ହେଉଛି ଏବଂ ହେବ ମଧ୍ୟ। ତଥାପି ସହରୀକରଣ ସୁଯୋଗ ଛାଡିବା କଥା ନୁହେଁ । ସମ୍ଭବତଃ ଭୂବନେଶ୍ୱର ଏକ ଯୋଜନାବଦ୍ଧ, ପରିବେଶ ସନ୍ତୁଳିତ ଏବଂ ସମସ୍ତଙ୍କ ପାଇଁ ସହର ଭଳି ଗଢି ଉଠୁ ଯାହାକି ଅନ୍ୟ ସହର ପାଇଁ ଉଦାହରଣ ହଉ । ସମ୍ଭବତଃ ଭୁବନେଶ୍ୱର ଭବିଷ୍ୟତରେ ଏକ ସୁରକ୍ଷିତ, ବନ୍ଧୁତ୍ୱପୂର୍ଣ୍ଣ ନିବେଶର ସହର, ଉନ୍ନତ ଏବଂ ନିଯୁକ୍ତିର ସହର ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିବ ସେଥିପାଇଁ ସମସ୍ତେ ପ୍ରୟାସ କରିବା ଦରକାର ।

Comments are closed.