Latest Odisha News

ନୋଟ୍ ବଦଳ ପଛରେ କିଏ? ଆରବିଆଇ ଆଗରେ ଛିଡା ହୋଇଥିବା ଲୋକଙ୍କୁ ଇଓଡବ୍ଲ୍ୟୁର ପଚରାଉଚରା

ଭୁବନେଶ୍ବର: ଅକ୍ଟୋବର ୭ ତାରିଖରେ ବ୍ୟାଙ୍କ ଶାଖାଗୁଡ଼ିକରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବା ଓ ବଦଳାଇବାର ସମୟ ସୀମା ଶେଷ ହୋଇସାରିଥିବା ବେଳେ ସୋମବାରଠୁ ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ନୋଟ୍ ବଦଳାଇବା ପାଇଁ ଭଲ ଭିଡ଼ ଜମୁଛି। କିନ୍ତୁ ଯେଉଁମାନେ ନୋଟ୍ ବଦଳାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବା ପରେ ବୁଧବାର ଇଓଡବ୍ଲ୍ୟୁ ଆସି ତାଙ୍କୁ ପଚରାଉଚରା କରୁଛି। ୨ ଜଣିଆ ଟିମ୍‌ ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଆସିଥିବା ଲୋକଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି।

ଯେଉଁମାନେ ୨୦୦୦ ଟଙ୍କିଆ ନୋଟ୍ ବଦଳାଉଛନ୍ତି ସେମାନେ ଶ୍ରମିକ ବର୍ଗର ବୋଲି ଜଣାପଡ଼ିଛି। ସେମାନେ ଆରବିଆଇ ଆଗରେ ଲମ୍ବା ଧାଡିରେ ଛିଡା ହେବାର କାରଣ କହିବାକୁ ଯାଇ କହିଛନ୍ତି, ତାଙ୍କୁ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ କୁହାଯାଇଛି ଏପରି କଲେ ତାଙ୍କୁ କିଛି ଟଙ୍କା କମିଶନ ଆକାରରେ ମିଳିବ। ମିଳିଥିବା ସୂଚନା ଅନୁସାରେ ୨୦୦୦୦ ଟଙ୍କାର ନୋଟ୍ ବଦଳାଇ ଦେଲେ ୨୦୦ ଟଙ୍କା ପାଉଣା ମିଳୁଥିବା ଜଣାପଡିଛି। ଯେହେତୁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି ଏବଂ ଯିଏ ଟଙ୍କା ବଦଳାଉଛନ୍ତି ସେ ସାମ୍ନାକୁ ନଆସୁଥିବାରୁ ଏହା କଳାଟଙ୍କା ବୋଲି ଆଶଙ୍କା ପ୍ରକାଶ ପାଇବା ପରେ ଆଜି ଅର୍ଥନୈତିକ ଅପରାଧ ଶାଖା ଆସି ପହଁଚିଛି।

ମିଳିଥିବା ସୂଚନା ଅନୁସାରେ ଏହି ଟଙ୍କା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଲୁଗା ସୋରୁମ ମାଲିକଙ୍କ ସମେତ ଅନ୍ୟ କେତେକଙ୍କ ନିର୍ଦ୍ଦେଶରେ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟକୁ ଆସିଛନ୍ତି।

ଯେଉଁମାନେ ଏପରି କାମରେ ନିୟୋଜିତ ହୋଇଛନ୍ତି ସେମାନେ ପ୍ରଥମେ ନିଜର ଅଭାବୀ କଥା ଦର୍ଶାଇଛନ୍ତି। ରାଜୋଗାର ନାହିଁ ତେଣୁ ଏପରି କାମ କଲେ କିଛି ଟଙ୍କା ମିଳିବ ବୋଲି କହିବା ପରେ ସେମାନେ ଆରବିଆଇ ଆଗରେ ଲମ୍ବା ଧାଡିରେ ଛିଡା ହୋଇଥିବା କଥା କହିଛନ୍ତି।

Comments are closed.