Latest Odisha News

ଆସ ବୁଲିଯିବା ଓଡିଶା: ମନ ମୋହିନିଏ ଗଣ୍ଡାହାତୀ ଜଳପ୍ରପାତ

ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"

ଗଜପତି: ଧରାପୃଷ୍ଠକୁ ଶୀତଋତୁର ଆଗମନ ହୋଇସାରିଲାଣି । ଆଉ ଶୀତଋତୁର ଅନ୍ୟ ଅର୍ଥ ହେଉଛି ବୁଲାବୁଲି କରିବା । ବର୍ଷତମାମ ଘର , ଅଫିସର ଚକ୍କର କାଟୁଥିବା ଲୋକଙ୍କ ପାଇଁ ଫ୍ରି ଟାଇମ୍ କହିଲେ ତ ଏହି ଶୀତଦିନ । ବର୍ତ୍ତମାନ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର୍ର ପର୍ଯ୍ୟଟକଙ୍କୁ ହାତ ଠାରି ଡ଼ାକିଲାଣି । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲ୍ଳାର ରହିଛି ସ୍ୱତନ୍ତ୍ର ମାନ୍ୟତା । ଏଠାରେ ଭରି ରହିଛି ଅନେକ ପ୍ରାକୃତିକ ସ୍ଥାନ । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତାର ସବୁ କଳା କରିଗରୀ । ସେହିଭଳି ଏକ ସ୍ଥାନ ହେଉଛି ଗଜପତି ଜିଲ୍ଲା ରାୟଗଡା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ । ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଏହି ଜଳପ୍ରପାତ ଜିଲ୍ଲାର ଅନ୍ୟତମ ପ୍ରମୁଖ ଆକର୍ଷଣ।

ସମସ୍ତ ଋତୁରେ ଏଠାରେ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ଼ । କେବଳ ସେତିକି ନୁହେଁ ଜଳପ୍ରପାତର କୁଳୁକୁଳୁ ନାଦ ପର୍ଯ୍ୟଟଙ୍କ ମନକୁ ଆନନ୍ଦିତ କରିଥାଏ । ପ୍ରକୃତିର ସୁନ୍ଦରତା କାରଣରୁ ଶୀତଦିନେ ଖାସ୍ କରି ନବବର୍ଷ ସମୟରେ ହଜାର ହଜାର ପର୍ଯ୍ୟଟକଙ୍କ ଏଠାରେ ଭିଡ ଜମିଥାଏ । ଜଞ୍ଜାଳମୟ ଜୀବନରୁ ଟିକିଏ ଫୁରସତ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଆସୁଛନ୍ତି ପର୍ଯ୍ୟଟକ । ସାଙ୍ଗରେ ପରିବାର ସହ ଭୋଜି ଭାତ କରି ମଜା ନେଉଛନ୍ତି । ହାଡଭଙ୍ଗା ଶୀତରେ ବି ପାହାଡି ଝରଣାରେ ଗାଧୋଇବାର ମଜା କହିଲେ ନ ସରେ । ବୁଲାବୁଲି ସାଙ୍ଗକୁ ଛୋଟ ଛୁଆଙ୍କ ପାଇଁ ଏଠାରେ ରହିଛି ଦୋଳିର ବ୍ୟବସ୍ଥା । ପିଲାଠୁ ବୁଢା ସମସ୍ତଙ୍କ ନାଚଗୀତରେ କମ୍ପୁଛି ପୁରା ପରିବେଶ । ଏହାସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ଏଠାରେ ଲୋକେ ଜଙ୍ଗଲରେ ବୁଲିବା ସହ ଏଠାକାର ଜଳ ପ୍ରପାତରେ ଗାଧୋଇବା ଏବଂ ସ୍ମୃତିକୁ ନିଜ କ୍ୟାମେରାରେ ଧରି ରଖିବାର ମଜା ନେବା ପାଇଁ ପର୍ଯ୍ୟଟକମାନେ କୌଣସି ମଉକା ଛାଡନ୍ତି ନାହିଁ ।

ଏହା ମଧ୍ୟ ପଢନ୍ତୁ

https://odishasambad.in/duduma-waterfall-in-koraput-attracts-tourists-from-different-parts-of-odisha/

ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ପ୍ରାୟ ୨୮କିମି ଦୂରତାରେ ଏହି ପର୍ଯ୍ୟଟନସ୍ଥଳୀ ଅବସ୍ଥିତ। ସେହିପରି ବ୍ରହ୍ମପୁର ଠାରୁ ଭାୟା ତପ୍ତପାଣି-ଆର୍‌.ଉଦୟଗିରି ଦେଇ ଏହି ପର୍ଯ୍ୟଟନସ୍ଥଳୀକୁ ଆସିବାକୁ ହେଲେ ପ୍ରାୟ ୧୫୦କିମି ଦୂରତା ଅତିକ୍ରମ କରିବାକୁ ହୋଇଥାଏ । ରେଳପଥରେ ଆସିଲେ ପର୍ଯ୍ୟଟକ ରାଜଧାନୀ ଭୁବନେଶ୍ୱର ଓ ପଡୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଦିଗରୁ ଆସୁଥିବା ପର୍ଯ୍ୟଟକମାନେ ଆନ୍ଧ୍ରର ପଲାସା ଷ୍ଟେସନ ଠାରେ ଓହ୍ଲାଇ ସେଠାରୁ ଗୋପୀଲ୍ଲୀ-କିଂଚିଲିଙ୍ଗି ଦେଇ ପ୍ରାୟ ୨୪ କିମି ରାସ୍ତା ଅତିକ୍ରମ କରେ ଗଣ୍ଡାହାତୀ ଠାରେ ପହଞ୍ଚିଥାନ୍ତି ।

Comments are closed.