Latest Odisha News

BREAKING NEWS

ଆସ ବୁଲିଯିବା ଓଡିଶା: ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଡୁଡୁମା ଜଳପ୍ରପାତ

ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"

କୋରାପୁଟ: ଆସିଛି ପର୍ଯ୍ୟଟନ ଋତୁ। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଜଳପ୍ରପାତର ସୁଅ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ ଜଳପ୍ରପାତର ଉଭୟ ପାର୍ଶ୍ଵରେ ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି ଆନମନା । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲା । ଘଞ୍ଚ ଜଙ୍ଗଲର ସବୁଜ ବନାନୀ ମଧ୍ୟରେ ଛୋଟ ବଡ ଅନେକ ଜଳପ୍ରପାତ ରହିଛି। ଯାହା ରାଜ୍ୟ ତଥା ରାଜ୍ୟ ବାହାର ଅନେକ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି । ପ୍ରକୃତ କୋଳରେ କିଛି ସମୟ ଅତି ବାହିତ କରିବା ପାଇଁ କିଏ ବା ନ ଚାହେଁ । ଆଉ ଯେତେବେଳେ ପର୍ଯ୍ୟଟନ ଋତୁ ଆସେ ସମସ୍ତଙ୍କ ମନରେ ଉଙ୍କି ମାରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ବୁଲି ଦେଖିବା ପାଇଁ ।

କୋରାପୁଟ ଏମିତି ଗୋଟିଏ ସ୍ଥାନ ଯେଉଁଠିକି ଥରେ ଗଲେ ଫେରିବାକୁ ଇଚ୍ଛା ହେବନି । ସୁନ୍ଦର ବନରାଜିର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ସରଳ ଆଦିବାସୀଙ୍କ ଜୀବନଯାପନ ବେଶ୍ ଆକର୍ଷଣୀୟ ରହିଥାଏ । ଏହା ସହ ଆଦିବାସୀ ହାଟରୁ ଆଦିବାସୀ ଖାଦ୍ୟ ସାମଗ୍ରୀ କିଣିବାର ସୁଯୋଗ ପାଇବା ସହ ଏଠାକାର ପାହାଡ଼ ଉପରେ ସୂର୍ଯ୍ୟାସ୍ତ, ସୋରିଷ ଓ ଅଳସି ଫୁଲର କ୍ଷେତ ଦେଖିବାର ସୁଯୋଗ ମିଳିଥାଏ । ବଣଭୋଜି ଓ ଜଳ ପ୍ରପାତରେ ଗାଧୋଇବାର ମଜା ଉଠାଇବାରସୁଯୋଗ ରହିଛି ମଧ୍ୟ ଏଠାରେ । ଆଜି ଆମେ ଆପଣଙ୍କୁ ବୁଲାଇ ନେବୁ କୋରାପୁଟ ଜିଲ୍ଲାରେ ଥିବା ପର୍ଯ୍ୟଟନ କ୍ଷେତ୍ର ଡୁଡୁମା ଜଳପ୍ରପାତକୁ।

ଏହା ମଧ୍ୟ ପଢନ୍ତୁ

https://odishasambad.in/tourist-places-satiguda-dam-in-malkangiri-district/

ଓଡ଼ିଶାର ଭୂ-ସ୍ବର୍ଗ ଭାବେ ପରିଚିତ କୋରାପୁଟର ମାଟି, ପାଣି, ପବନ ବେଶ ନିଆରା । ଏଠାରେ ରହିଛି ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ଦେଓମାଳି ଓ ଦୀର୍ଘତମ ଜଳପ୍ରପାତ ଡୁଡୁମା । ଆନ୍ଧ୍ର ଓଡ଼ିଶା ମଧ୍ୟରେ ଏହି ଜଳପ୍ରପାତ ଅବସ୍ଥିତ । ଜିଲ୍ଲାର ଲମତାପୁଟ ବ୍ଲକରେ ରହିଥିବା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଡୁଡୁମା ଜଳପ୍ରପାତ ପୁରାଣ ପ୍ରସିଦ୍ଧ ମତ୍ସତୀର୍ଥ ଭାବେ ପରିଚିତ ଏବଂ ଦକ୍ଷିଣ ଭାରତର ଉଚ୍ଚତମ ଜଳପ୍ରପାତ ମଧ୍ୟରେ ଅନ୍ୟତମ । ମାଛକୁଣ୍ଡ ନଦୀରୁ ସୃଷ୍ଟ ୧୭୫ ମିଟର ଉଚ୍ଚତାରୁ ପଡ଼ୁଥିବା ଏହି ଜଳପ୍ରପାତଟିର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର । ଏହି ଝରଣାରେ ସ୍ନାନ କରିବା ସହ ବଣଭୋଜିର ବିଶେଷ ସୁବିଧା ରହିଛି । ଏଠାରେ ମାଛକୁଣ୍ଡ ଇଲେକ୍ଟ୍ରିକ୍ ପାୱାର ପ୍ରୋଜେକ୍ଟ ଦେଖିବାକୁ ପାଇବେ । ଏତିକି ନୁହେଁ ଘୋ ଘୋ ନାଦ ସହ ପାରିପ୍ବାର୍ଶିକ ପରିବେଶକୁ ଉପଭୋଗ କରିବାକୁ ପର୍ଯ୍ୟଟକମାନେ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ଆସିଥାନ୍ତି । ଏହା ସହ ଏହାର ତିନି ଦିଗରେ ଥିବା ସବୁଜ ବଳୟ ବେଶ ଆକର୍ଷଣୀୟ ରହିଥାଏ । ଏହି ଜଳପ୍ରପାତଠାରୁ ମାତ୍ର ୩କିମି ଦୁରରେ ରହିଥିବା ଆଙ୍କଡ଼େଲି ହେଉଛି ଅନ୍ୟତମ ଆକର୍ଷଣ । ଏଠାରେ ଆଦିବାସୀ ଲୋକମାନେ ଜଙ୍ଗଲୀ ଦ୍ରବ୍ୟ ବିକ୍ରିକରୁଥିବାର ନଜରକୁ ଆସିଥାଏ । କୋରାପୁଟଠାରୁ ୯୨ କିଲୋମିଟର ଓ ବିଶାଖପାଟଣାଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ରହିଛି ଏହି ଜଳପ୍ରପାତଟି ।

 

Leave A Reply

Your email address will not be published.