Latest Odisha News

BREAKING NEWS

ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଚଳିତବର୍ଷ ରାଜ୍ୟରେ ଅନୁଭୂତ ହେବ କମ ଶୀତ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ କାରଣରୁ ୬ ଋତୁରୁ ଏବେ ମାତ୍ର ୩ଟି ଋତୁ ଅନୁଭୂତ ହେଉଛି । ହେଲେ ସେଥିରୁ ଏବେ ଶୀତ ଋତୁ ଉଭେଇବାକୁ ବସିଲାଣି । ବର୍ତ୍ତମାନ ନଭେମ୍ବର ମାସ ଚାଲିଥିବାବେଳେ ରାଜ୍ୟରେ ଶୀତର ଦେଖାଦର୍ଶନ ନାହିଁ । ଯାହାକୁ ନେଇ ଚଳିତବର୍ଷ ମଧ୍ୟ ଏହି ପରିସ୍ଥିତି ଆହୁରି କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନଭେମ୍ବର ମାସ ପାଇଁ ହୋଇଥିବା ଆକଳନରେ କୁହାଯାଇଛି ଯେ, ନଭେମ୍ବର ମାସରେ ଓଡିଶା ସମେତ ସାରା ଦେଶରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଉପକୂଳବର୍ତ୍ତୀ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ ।

ସେହିପରି ନଭେମ୍ବର ମାସରେ ରାଜ୍ୟରେ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସମୟରେ ବର୍ଷା ହେବ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ପ୍ରକୋପ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ,। ବର୍ତ୍ତମାନ ଗ୍ରୀଷ୍ମ ମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ଜଳ ପତ୍ତନର ତାପମାତ୍ରା ସ୍ୱାଭାବିକ ଠାରୁ ୧.୫ ଡିଗ୍ରୀ ଅଧିକ ରହିଛି । ଏହା ସହିତ ଏଲ୍‌‌-ନିନୋ ଶକ୍ତିଶାଳୀ ରହିବା ସହ ଏହି ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଜାରି ରହିବାର ଆଶଙ୍କା ରହିଛି । ବିଶେଷ କରି ଡିସେମ୍ବର ଓ ଜାନୁଆରୀ ମାସରେ ରାଜ୍ୟରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଚଳିତ ବର୍ଷ ଏଥିରେ ବିଲକ୍ଷଣ ଦେଖାଦେବ ।

ଭାରତ ମହାସାଗର ଡାଇପୋଲ୍‌‌ (ଆଇଓଡି) ସକାରାତ୍ମକ ରହିଥିବା ବେଳେ ଆସନ୍ତା ୨ ମାସ ପରେ ଏହା ଦୁର୍ବଳ ହୋଇପାରେ । ଏହାଦ୍ୱାରା ଚଳିତ ବର୍ଷ ଶୀତ ଋତୁରେ ଅର୍ଥାତ ନଭେମ୍ବରଠାରୁ ଫେବୃଆରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ । ଏହା ଦ୍ୱାରା ରାଜ୍ୟରେ ଶୀତ କମ ଅନୁଭୂତ ହେବ । ଡିସେମ୍ବର ଓ ଜାନୁଆରୀରେ ସବୁଠାରୁ ଅଧିକ ବିଲକ୍ଷଣ ଦେଖାଯିବ ।

Leave A Reply

Your email address will not be published.