ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ ଅସମ୍ଭାଳ ସ୍ଥିତିରେ ବାୟୁ ପ୍ରଦୂଷଣ । ଦିନିକୁ ଦିନ ଏହାର ସ୍ତର ଅତି ଗମ୍ଭୀର ହେବାରେ ଲାଗିଛି । ଯାହାକୁ ନଜରରେ ରଖି ତେବେ ଆଜି (ଗୁରୁବାର) ଦିଲ୍ଲୀରେ ଜିଆରଏପି (GRAP)ର ତୃତୀୟ ଚରଣ ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଟ ପକ୍ଷରୁ ଆଜି ଦିଲ୍ଲୀ(ଏନସିଆର)ର ସମଗ୍ର ଅଞ୍ଚଳରେ ଚାଲିଥିବା ଅନାବଶ୍ୟକ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଟର ତୃତୀୟ ପର୍ଯ୍ୟାୟରେ ଦିଲ୍ଲୀରେ ହାଲୁକା ବ୍ୟବସାୟିକ ଯାନ ଏବଂ ଡିଜେଲ ଚାଳିତ ଟ୍ରକ୍ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।
ସିଏକ୍ୟୁଏମ (CAQM) ନିଷ୍ପତ୍ତି ନେଇଛି ଯେ, ଜିଆରଏପି (GRAP) ଅଧୀନରେ ଥିବା ସମସ୍ତ କାର୍ଯ୍ୟ ତୁରନ୍ତ ଏନସିଆର(NCR)ର ସମସ୍ତ ଏଜେନ୍ସି ଦ୍ୱାରା କାର୍ଯ୍ୟକାରୀ କରାଯିବା ଉଚିତ । ତେବେ ଦିଲ୍ଲୀର ବାୟୁ ଗୁଣବତ୍ତା ଯେପରି ଆଗକୁ ଆହୁରି ଖରାପ ନହୁଏ ସେନେଇ ଏହି ନିଷ୍ପତ୍ତି ନିଆଯାଇଛି । ଜିଆରଏପି (GRAP)ର ତୃତୀୟ ଚରଣରେ ଏନସିଆର (NCR)ର ସରକାର ଏବଂ ଜିଏନସିଟିଡି (GNCTD) ଅନ୍ତର୍ଭୁକ୍ତ ।
ତେବେ ସରକାରଙ୍କୁ ତୃତୀୟ ଚରଣରେ ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଏବଂ ଗୌତମବୁଦ୍ଧ ନଗର ଜିଲ୍ଲାରେ ବିଏସ-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ ଏଲଏମବି (୪ ଚକିଆ ଯାନ)ର ଚଳାଚଳ ଉପରେ ନିଷେଧ ଜାରି କରିବାକୁ ପଡିବ । ଏହା ବ୍ୟତୀତ ସରକାର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପାଠପଢାକୁ ବିଦ୍ୟାଳୟରେ ଅଫଲାଇନ ପରିବର୍ତ୍ତେ ଅନଲାଇନ କରିବାକୁ ନିଷ୍ପତ୍ତି ନେଇପାରିବେ ।
ଜିଆରଏପି (GRAP)ର ତୃତୀୟ ପର୍ଯ୍ୟାୟରେ କ’ଣ ରହିବ ପଦକ୍ଷେପ?
ପ୍ରତିଦିନ ସକାଳୁ ରାସ୍ତାରେ ପାଣି ଛିଞ୍ଚିବାକୁ ପଡିବ ।
ସାଧାରଣ ଯାନଗୁଡିକର ବ୍ୟବହାରକୁ ବୃଦ୍ଧି କରିବାକୁ ପଡିବ । ଅତି ଭିଡ ସମୟରେ ଏହାକୁ ବ୍ୟବାହାର କରାଯିବା ସହ ଏଥିପାଇଁ ବିଭିନ୍ନ ଭଡା ସ୍ଥିର କରାଯିବା ଉଚିତ ।
ସମଗ୍ର ଏନସିଆରରେ ବଲଡିଂ ନିର୍ମାଣ ଓ ଭଙ୍ଗାରୁଜ ଉପରେ ପ୍ରତିବନ୍ଧକ ଲାଗୁ କରାଯିବା ଉଚିତ । ତେବେ ବର୍ତ୍ତମାନ ସମୟରେ ରେଳ, ମେଟ୍ରୋ, ବିମାନବନ୍ଦର, ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍, ହସ୍ପିଟାଲ୍ ଇତ୍ୟାଦିରେ କେତେକ ନିର୍ମାଣ କାର୍ଯ୍ୟକୁ ଏଥିରୁ ମୁକ୍ତ କରାଯାଇଛି ।
ପଥର ଭାଙ୍ଗିବା କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯିବା ସହ ଖଣି ଏବଂ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକୁ ଏନସିଆରରେ ବନ୍ଦ କରିବାକୁ ପଡିବ ।
ଦିଲ୍ଲୀ ଏବଂ ଏନସିଆରରେ ବିଏସ-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ ସହିତ ଚାରି ଚକିଆ ଯାନ ଉପରେ ପ୍ରତିବନ୍ଧକ ଲଗାଯିବ ।
ଜିଆରଏପି (GRAP)ର ତୃତୀୟ ଚରଣ କାର୍ଯ୍ୟକାରୀ କରିବାରେ ସହଯୋଗ କରିବାକୁ ଲୋକଙ୍କୁ ସରାକରଙ୍କ ପକ୍ଷରୁ ନିବେଦନ କରାଯାଇଛି ।
Comments are closed.