ଭୁବନେଶ୍ୱର: ଗତ ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ୱର ପାଓ୍ବାର ହାଉସ ଛକ ନିକଟରେ ବଡ ବଡିଆଙ୍କ ବଡଗାଡିର ବେପରୁଆ ଚାଳନ ଯୋଗୁଁ ଅନ୍ୟତମ ଆହତ ଲୋପାମୁଦ୍ରା ସାହୁଙ୍କ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ ଘଟିଛି। ଅନ୍ୟ ଜଣେ ଆହତ ଅବସରପ୍ରାପ୍ତ ସିଆଇଏସଏଫ୍ ଯବାନ କାହ୍ନୁଚରଣ ନାୟକ ଏବେ ବି ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ଏହି ସଡ଼କ ଦୁର୍ଘଟଣାରେ ଜଣେ ‘ପ୍ରଭାବଶାଳୀ’ ବ୍ୟକ୍ତି ସମ୍ପୃକ୍ତ ଥିବାରୁ ପୁଲିସ ସମ୍ପୂର୍ଣ୍ଣ ଘଟଣାକୁ ନେଇ ଚୁପ୍ ବସିଥିବା କାହ୍ମ ନାୟକଙ୍କ ଭାଇ ଅଭିଯୋଗ କରିଛନ୍ତି। ଏପରିକି ଏହି ଘଟଣାର ସତ୍ୟାସତ୍ୟକୁ ପୁଲିସ ଚାପି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଦୁର୍ଘଟଣାସ୍ଥଳରୁ କମିସନରେଟ ପୋଲିସର କାର୍ଯ୍ଯାଳୟ କେଇ ପାଦ ହୋଇଥିବା ବେଳେ ପୋଲିସ ଏହି ଘଟଣାରେ ଆଖି ବୁଜିଦେଇଛି ବୋଲି କୁହାଯାଉଛି।
ଦୁର୍ଘଟଣା ସମ୍ପର୍କରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଗାଡ଼ିର ଭିନ୍ନ ଭିନ୍ନ ନମ୍ବର ଉଲ୍ଲେଖ କରିଥିବାରୁ କମିସନରେଟ୍ ପୁଲିସ ମଧ୍ୟ ଅଡ଼ୁଆରେ ପଡ଼ିଛି। ଏହି ପ୍ରେସ୍ ବିଜ୍ଞପ୍ତିରେ ପ୍ରଥମେ ଗାଡିର ରେଜିଷ୍ଟ୍ରେସନ ନମ୍ବର ଓଡି-୩୩ ଏଏଫ-୬୭୨୬ ବୋଲି ଉଲ୍ଲେଖ ଥିବା ବେଳେ ପରେ ଏହାକୁ ସଂଶୋଧନ କରି ଓଡି-୨୩କେ ୦୦୦୬ ନମ୍ବରରେ ଲେଖାଯାଇଛି।
ଓଡି-୨୩କେ ୦୦୦୬ ନମ୍ବର ବିଶିଷ୍ଟ ଏହି ବିଳାସପୂର୍ଣ୍ଣ କାରଟି ଏକ କମ୍ପାନୀର ବୋଲି ଜଣାପଡ଼ିଛି। ଯେଉଁ କମ୍ପାନୀର ନିର୍ଦ୍ଦେଶକ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପୁଅ ନିର୍ଦ୍ଦେଶକ ଥିବା ଜଣାପଡ଼ିଛି।
ପୀଡିତାଙ୍କ ପରିବାର ଲୋକେ ନ୍ୟାୟ ପାଇଁ ଦାବି କରିବା ସହ ପୋଲିସ ମାମଲାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ସମ୍ପର୍କରେ ପୁଲିସ ଏଯାଏଁ କୌଣସି ସୂଚନା ଦେଇନାହିଁ।
ଅନ୍ୟପଟେ ଘଟଣାକୁ ଏତେ ଦିନ ବିତିଥିବା ବେଳେ ଜଣେ ଗୁରୁତରଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଚିକିତ୍ସା ପାଇଁ ପଇସାର ଘୋର ଅଭାବ ଥିବା ବେଳେ ବିଧାୟିକା ଦୀପାଳି ଦାସ ଏବଂ ତାଙ୍କ ଭାଇ ନିରବ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି।
Comments are closed.