Latest Odisha News

BREAKING NEWS

ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ନାହାନ୍ତି

ଭୁବନେଶ୍ୱର: ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ନାହାନ୍ତି । ଗତକାଲି ରାତି ୩ଟା୨୫ରେ ତାଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଛ । ସେ ଗତ  ୩୧ ତାରିଖରୁ ଅସୁସ୍ଥ ଥିଲେ ।ତାଙ୍କୁ ଏଠାରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ପୁରୀର ପୂର୍ବତନ ବିଧାୟକ ତଥା ହେଭିୱେଟ ନେତା ମହେଶ୍ୱର ମହାନ୍ତି ୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ  । କିଛି ଦିନ ତଳେ ସେ ବଡଶଙ୍ଖଠାରେ ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେବାକୁ ଆସିଥିଲେ  । ହଠାତ ସେଠାରେ ଅସୁସ୍ଥ ହୋଇପଡିଥିଲେ ।  ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଅଣାଯାଇଥିଲା  । ସେବେଠାରୁ ସେ ଚିକିତ୍ସାଧୀନ ଥିଲେ ।

ଛାତ୍ର ରାଜନୀତିରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ମହେଶ୍ୱର  ୧୯୭୫ ମସିହାରେ ପ୍ରଥମେ ପୁରୀ ମୁନିସିପାଲିଟି କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ପୁରୀ ମୁନିସିପାଲିଟିର ଅଧ୍ୟକ୍ଷ ହୋଇଥିଲେ । ୧୯୯୫ରେ ସେ ରାଜ୍ୟ ରାଜନୀତିକୁ ଆସିଥିଲେ । ୧୯୯୫ ମସିହାରେ ଜନତା ଦଳ ଟିକେଟରେ ପୁରୀ ବିଧାନସଭାରୁ ପ୍ରଥମେ ନିର୍ବାଚିତ ହୋଇଥିଲେ ।  ପରେ ବିଜେଡି ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ପୁରୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।  ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଦାୟିତ୍ୱ ସମ୍ଭାଳିଥିଲେ ।

ଏହାବ୍ୟତୀତ  ୨୦୧୧ରେ ପଞ୍ଚାୟତିରାଜ ମନ୍ତ୍ରୀ, ୨୦୧୨ରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ, ୨୦୧୩ରେ ଆଇନ ମନ୍ତ୍ରୀ  ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୨୦୧୭ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ବାଳିଥିଲେ ମହେଶ୍ୱର ।   ତେବେ ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ । ତେବେ ପୁରୀ ସହରର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ତାଙ୍କର ଅବଦାନ ଯଥେଷ୍ଟ ଥିଲା ।

ପୁରୀର ଏହି ହେବିୱେଟ ନେତା ଅସୁସ୍ଥତା ପାଇଁ କିଛି ଦିନ ହେବ ସକ୍ରିୟ ରାଜନୀତିରୁ ମଧ୍ୟ ଦୂରରେ ରହିଛନ୍ତି । ତାଙ୍କର ବିୟୋଗରେ ସାରା ପୁରୀ ସହରରେ ଶୋକର ଛାୟା ଖେଳି ଯାଇଛି ।

Comments are closed.