ଦକ୍ଷିଣ ଓଡିଶାରେ ଅର୍ଣ୍ଣବର ପ୍ରଭାବ, ଗଂଜାମ ଓ ଗଜପତିରେ ବିନାଶକାରୀ ବନ୍ୟା
ଜଳପ୍ରଳୟରେ ବାହ୍ୟଜଗତରୁ ବିଚ୍ଛିନ୍ନ ଲୋକ, ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ୍ ଓ ଓଡ୍ରାଫ୍
ବ୍ୟୁରୋ: ବାତ୍ୟା ଅର୍ଣ୍ଣବ ଫଳରେ ଦକ୍ଷିଣ ଓଡିଶାରେ ସ୍ଥିତି ବେହାଲ । ଲ୍ୟାଣ୍ଡଫଳର ପୂର୍ବରୁ ଓ ପରେ ଭୀଷଣ ପବନ ଓ ଲଗାଣ ବର୍ଷାରେ ଜନଜୀବନ ସମ୍ପୂଣ୍ଣ ର୍ ଅସ୍ତବ୍ୟସ୍ତ ହୋଇପଡିଛି । ଗଂଜାମ ଓ ଗଜପତିର ଜଳପ୍ରଳୟ ପରିସ୍ଥିତି । ସ୍ଥିତି ଏପରି ହୋଇଛି ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି । ରାସ୍ତାଘାଟ ଚାଷ କ୍ଷେତ ସବୁ ଏକାକାର । ସ୍ଥିତି ଦେଖିଲେ କେଉଁ ବିନାଶକାରୀ ବନ୍ୟା ପରି ପ୍ରତିତ ହେଉଛି । ପାଣିର ସୁଅ ଦେଖିଲେ ଭୟ ଲାଗୁଛି । ବାତ୍ୟା ଅର୍ଣ୍ଣବ ପରେ ଗଂଜାମ ଓ ଗଜପତିରେ ଏତେ ଭୟଙ୍କର ହେବ ବନ୍ୟା ସ୍ଥିତି କେହି ଆକଳନ ବି କରିନଥିଲେ । ସେପଟେ ଲଗାଣ ବର୍ଷାରେ ପୁରୁଷୋତମପୁରରେ ଋଷିକୂଲ୍ୟା ପାଣି ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ଗାଁ ଭିତରକୁ ପଶିଯାଇଛି ପାଣି । ଗଂଜାମ ଆସ୍କା ମୁ୍ୟନିସିପାଲିଟିରେ ମଣିଷ ଉଚ୍ଚାରେ ପାଣି ପ୍ରବାହିତ ହେଉଛି । ଗାଁ ଦାଣ୍ଡରେ ପଖର ସ୍ରୋତରେ ପାଣି ଯୋଗୁ ଲୋକ ଭୟରୋ ୩ଦିନରୁ ଅଧିକ ସମୟ ଧରି ଏ ସ୍ଥିତି ଗଂଜାମ ଗଜପତିରେ ଲୋକଙ୍କୁ ଭୟଙ୍କର ଅନୁଭୂତି ଦେଇଛି । ଭଂଜନଗର ରାସ୍ତାରେ ଚାଲୁଛି ପାଣି ।
ଘର ସବୁ ଅଧା ବୁଡିଯାଇଛି । ଜୀବନ ବଂଚାଇବାକୁ ଲୋକ ଛାତ ଉପରେ ଚଢି ରହିଛନ୍ତି । ଛାତଉପରୁ ଲୋକଙ୍କୁ ଉଦ୍ଧାର କରୁଛନ୍ତି ରେସ୍କୁ୍ୟ ଟିମ୍ । କିଛି ସ୍ଥାନରେ ପାଣିର ସୁଅ ଉଦ୍ଧାରକାମରେ ବାଧା ଉପୁଜାଉଛି । କିଚି ସ୍ଥାନରେ ବହୁ କଷ୍ଟରେ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀକୁ ନେଉଛନ୍ତି ଉଦ୍ଧାରକାରୀ ଟିମ୍ । ଆସ୍କା, ଶେରଗଡ, ସୋରଡା, ଧରାକୋଟ ଭଂଜନଗର, ବେଲଗୁଣ୍ଠା ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛନ୍ତି । ବ୍ରହ୍ମପୁରରେ ମଧ୍ୟ ଜଳବନ୍ଦୀ ସ୍ଥିତି । ବିଭିନ୍ନ ସାହି ବସ୍ତିରେ ଲୋକ ପାଣି ଘେରରେ ପାତ୍ରପୁର ବ୍ଲକ୍, ବ୍ରହ୍ମପୁରର ସଦାନନ୍ଦ ବିହାର ଗୋସାଇଁ ନୂଆଗାଁରେ ଘର ଘର ବୁଲି ଉଦ୍ଧାରକାରୀ ଟିମ୍ ଶୁଖିଲା ଖାଦ୍ୟ ପହଂଚାଉଛନ୍ତି । ଯାତାୟତ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ରାସ୍ତାଘାଟରେ ପଡିଥିବା ବଡ ବଡ ଗଛ ସବୁ ହଟାଉଛନ୍ତି ଉଦ୍ଧାରକାରୀ ଟିମ୍ । ବତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତି ପରିସ୍ଥିତିକୁ ଜଟିଳ କରି ପକାଇଛି ।
ଗାଁରେ ବନ୍ୟାପାଣି ପଶିବା ଖବର ବାହାରେ ରହୁଥିବା ଲୋକଙ୍କୁ ବ୍ୟଥିତ କରିଛି । ତେଣୁ ଘରକୁ ଫେରୁଛନ୍ତି ଲୋକ । କିଏ ଗଂଜାମର ଅନ୍ୟ ଅଂଚଳରୁ ତ କିଏ ବାହାର ରାଜ୍ୟରୁ । ହେଲେ ରାସ୍ତାଘାଟରେ ପାଣି ଥିବାରୁ ସେମାନେ ଘରେ ପହଂଚି ପାରୁନାହନ୍ତି । ତେଣୁ କିଛି ଲୋକ ଚାଲି ଚାଲି ଘରକୁ ଯାଉଥିବା ସୂଚନା ମିଲିଛି । ଗୋଟିଏ ଦିନରେ ଗଂଜାମରେ ୨୭ଶହ ମିଲିଲିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି ।

