Latest Odisha News

BREAKING NEWS

ବାତ୍ୟା ‘ଅର୍ଣ୍ଣବ’ ଧସିଲା ପଳାସପୁର ପୋଲ; ତପ୍ତପାଣି ଘାଟି ନିକଟରେ ଭୂସ୍ଖଳନ, NH-326 ରେ ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗିନ। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକର ପଳାସପୁର ପୋଲଟି ଧସିଯାଇଛି। ଗତ ପ୍ରାୟ ୩ ଦିନ ଧରି ଏହି ପୋଲ ଉପରେ ପ୍ରାୟ ୧୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିଲା। ପାଣି କମିବା ପରେ ପୋଲଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଭୂସ୍ଖଳନ ହୋଇ ୩୨୬ ନମ୍ବର ଜାତୀୟ ରାଜପଥ (NH-326) ରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ତପ୍ତପାଣି ଘାଟିର କମଳାପୁର ଓ ପାଳୁଖୋଳା ନିକଟରେ ପାହାଡ଼ରୁ ବିରାଟକାୟ ପଥର ଏବଂ ମାଟି ଅତଡ଼ା ଖସି ରାସ୍ତା ଉପରେ ପଡ଼ି ରହିଛି। ଏହା ସହିତ ପାହାଡ଼ିଆ ଝରଣାର ପ୍ରଖର ଗୋଳିଆ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ପୋଲଟି ସମ୍ପୂର୍ଣ୍ଣ ଧୋଇଯିବା ଫଳରେ ଦିଗପହଣ୍ଡି-ଆସିକା ମଧ୍ୟରେ ଯାତାୟାତ ଓ ସମସ୍ତ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଗଞ୍ଜାମକୁ ଅନ୍ୟ ପାଞ୍ଚଟି ଜିଲ୍ଲା ତଥା- ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ସହ ସଂଯୋଗ କରୁଥିବା ଏହି ପ୍ରମୁଖ ମାର୍ଗର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଓ ଯାତ୍ରୀ ଅଟକି ରହିଛନ୍ତି। ଏପରିକି ଏକ ଜରୁରୀକାଳୀନ ଆମ୍ବୁଲାନ୍ସ ମଧ୍ୟ ବାଧ୍ୟ ହୋଇ ଫେରିଯାଇଛି। ଘାଟି ଅଞ୍ଚଳ ବ୍ୟତୀତ ମୋହନା ନିକଟସ୍ଥ ଲେଡବନ୍ଧ ଠାରେ ମଧ୍ୟ NH-326 ରାସ୍ତାର କିଛି ଅଂଶ ବନ୍ୟା ପାଣିରେ ଧୋଇଯାଇଛି।

ସାନଖେମୁଣ୍ଡି ପ୍ରଶାସନ, ଜାତୀୟ ରାଜପଥ ପ୍ରାଧିକରଣ (NHAI), ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ ଜେସିବି (JCB) ମେସିନ୍ ସାହାଯ୍ୟରେ ରାସ୍ତାରୁ ପଥର ଓ ମାଟି ହଟାଇବା ସହ ପାଣି ନିଷ୍କାସନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚେଷ୍ଟା ଜାରି ରଖିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେହି ମାର୍ଗରେ ବାରିକେଡ୍ ଲଗାଯାଇ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଏବଂ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.