Latest Odisha News

ଏକ୍ସପାଏରୀ ଜିନିଷ ବିକି ଏଗାର ଲକ୍ଷ ଜୋରିମାନା ଦେବ ବିଶାଲ ମେଗାମାର୍ଟ

କଟକ: ଭୁବନେଶ୍ୱର ରସୁଲଗଡ଼ ଓ କଟକ ବିଡାନାସୀ ସେକ୍ଟର-୧୦ରେ ଥିବା ବିଶାଳ ମେଗା ମାର୍ଟର ଷ୍ଟୋରରେ ଏକ୍ସପାଏରି ହୋଇଥିବା ସାମଗ୍ରୀ ବିକ୍ରି କରିବା ଅଭିଯୋଗରେ କଟକ ଜିଲ୍ଲା ଖାଉଟି ଅଦାଲତ ବିଶାଲ ମେଗା ମାର୍ଟକୁ ୧୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଆସନ୍ତା ୩୦ ଦିନ ମଧ୍ୟରେ ଏହି ଜରିମାନା ଦେବାକୁ କୋର୍ଟ ବିଶାଲ ମେଗାମାର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି।

କଟକ ସିଡିଏ ରସୁଲଗଡ଼ ଓ ବିଡାନାସୀର ସେକ୍ଟର-୧୦ରେ ଥିବା ଷ୍ଟୋରରେ ଏକ୍ସପାଏରି ହୋଇଥିବା ସାମଗ୍ରୀ ବିକ୍ରି ହେଉଥିବା ନେଇ ଅଭିଯୋଗ ପାଇବା ପରେ ବିଶାଲ ମେଗା ମାର୍ଟ ବିରୋଧରେ କଟକ ସିଡିଏର ସାମାଜିକ କର୍ମୀ ସୁନୀଲ କୁମାର ରଥ ଦୁଇଟି ପିଟିସନ ଦାୟର କରିଥିଲେ।

ଶ୍ରୀ ରଥ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ରସୁଲଗଡ଼ରୁ ୫୦ ପ୍ରତିଶତ ରିହାତିରେ ଏକ ନୁଡୁଲ୍ସ ପ୍ୟାକେଟ୍ କିଣିଥିଲେ ମଧ୍ୟ ଏହାର ମୂଲ୍ୟ ଓ ଏକ୍ସପାଏରୀ ତାରିଖ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଲେଖାନଥିଲା। ସେହିପରି ଏକ ମିକ୍ସଚର ପ୍ୟାକେଟ୍ ମେ ୧୭ରେ କିଣିଥିଲେ, କିନ୍ତୁ ଏହାର ଏକ୍ସପାଏରି ତାରିଖ ମେ ୧୫ ଥିଲା।

ଖାଉଟି ଅଦାଲତ ଏହି ଦୁଇଟି ମାମଲାକୁ ନଭେମ୍ବର ୬ ତାରିଖରେ ଫଇସଲା କରି ୭ ତାରିଖରେ ରାୟ ପ୍ରକାଶ କରିଥିଲେ।

କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ରସୁଲଗଡ଼ ଷ୍ଟୋର ଏହି ମିକ୍ସଚର ମୂଲ୍ୟ ସଂପୃକ୍ତ ଗ୍ରାହକଙ୍କୁ ଫେରାଇଦେବା ସହ ୨୦ ହଜାର ଟଙ୍କା, ୩୦ ହଜାର ଟଙ୍କା ମକଦ୍ଦମା ଫି’, ୫ ଲକ୍ଷ ଟଙ୍କା ରାଜ୍ୟ କଲ୍ୟାଣ ପାଣ୍ଠିକୁ କ୍ଷତିପୂରଣ ଦେବେ।

ଏତଦବ୍ୟତୀତ ସିଡିଏ ସେକ୍ଟର-୧୦ ମେଗା ମାର୍ଟ ଷ୍ଟୋର(ପ୍ଲଟ୍-୧୦-୩, ସିଏମ୍-୧୨୦୫)କୁ କ୍ଷତିପୂରଣ ବାବଦରେ ୨୦ ହଜାର ଟଙ୍କା, ମୋକଦ୍ଦମା ଫି’ ବାବଦରେ ୩୦ ହଜାର ଟଙ୍କା ଏବଂ ରାଜ୍ୟ ଖାଉଟି କଲ୍ୟାଣ ପାଣ୍ଠିକୁ ଆସନ୍ତା ୩୦ ଦିନ ମଧ୍ୟରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ୨୦୨ ଟଙ୍କା ଫେରସ୍ତ କରିବାକୁ କୁହାଯାଇଛି।

ଏଥିସହିତ ଅବଧି ଶେଷ ହୋଇଯାଇଥିବା ସାମଗ୍ରୀକୁ ତୁରନ୍ତ ହଟାଇ ଏଭଳି ସାମଗ୍ରୀ ବିକ୍ରି ବନ୍ଦ କରିବାକୁ ରିଟେଲ୍ ଚେନ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ବିଶାଲ ମେଗା ମାର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ।

Comments are closed.