Latest Odisha News

ଝାରସୁଗୁଡା ଅଭିମୁଖେ ଆସୁଥିବା ବିମାନ ମଝି ଆକାଶରୁ ଫେରିଗଲା

ଝାରସୁଗୁଡା: ଦିଲ୍ଲୀରୁ ଝାରସୁଗୁଡ଼ା ଯାଉଥିବା ସ୍ପାଇସଜେଟ୍ ବିମାନରେ ଶୁକ୍ରବାର ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିବା ପରେ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ ଥିବାରୁ ବିମାନକୁ ଦିଲ୍ଲୀ ଫେରିବାକୁ ପଡ଼ିଛି।

ବିମାନଟି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ ଯାତ୍ରୀ ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଇଲଟ୍ ଦିଲ୍ଲୀ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ। ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏଯାବତ୍ ଜଣାପଡ଼ିନାହିଁ।

ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ନିର୍ଦ୍ଦେଶକ ସନ୍ଦୀପ କୁମାର ତିଓ୍ବାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ SpiceJet ବିମାନଚି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଝାରସୁଗୁଡ଼ା ଅଭିମୁଖେ ଉଡ଼ାଣ ଭରିଥିଲା।

ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍ ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କୁ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ ପଡ଼ିଥିଲା। ଫଳରେ ବିମାନଟିକୁ ନୂଆଦିଲ୍ଲୀ ଫେରିବାକୁ ପଡ଼ିଥିଲା ବୋଲି ତିଓ୍ବାରୀ କହିଛନ୍ତି।

ସ୍ପାଇସଜେଟ୍ ଯାତ୍ରୀଙ୍କ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିବା ସହ ପ୍ରଭାବିତ ଯାତ୍ରୀଙ୍କୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଛି।

Comments are closed.