Latest Odisha News

କବିତା : କଣ୍ଟା

ରାମକୃଷ୍ଣ 

ଯେଉଁ ଦିନ ମୁଁ କଣ୍ଟା ମାଡିଲି
ସେଦିନ ଜାଣିଲି ଯେ
କୌଣସି ରାସ୍ତା ନିରାପଦ ନୁହେଁ
ପାଦର କଣ୍ଟା ହିଁ ସୂଚନାଦିଏ
ଯେ ରାସ୍ତାବୋଲି କିଛି ନାହିଁ
ଚାଲୁ ଚାଲୁ ପାଦ ହିଁ ତିଆରି କରେ
ନିଜର ରାସ୍ତା।

ମୁଁ କଣ୍ଟା କଥା କହୁଥିଲି
ଯଦିଓ କଣ୍ଟା କଥା ପଡୁ ପଡୁ
ରାସ୍ତା ଆପେ ଆପେ ଆସି ଛୁଏଁ ପାଦକୁ
କଣ୍ଟା ଖାଲି ଆଖିରେ ଦିଶେନାହିଁ
କେବଳ ଦୃହୟକୁ ଦିଶେ
ଲାଲ୍ ହୋଇଯାଏ ଯେତେବେଳେ ତାର ଓଠ
ଚୁମୁଥିବା ବେଳେ ରକ୍ତକୁ ।

କଣ୍ଟାକୁ ବା ଡର କ’ଣ
କଣ୍ଟାତ ରାସ୍ତା ଛେକେ ନାହିଁ, ଦେଖାଏ
ଦେଖୁନାହାନ୍ତି ଗୋଲାପର ଚାରିଆଡେ
ବନ୍ଧୁକଧାରୀ ସୈନିକ ପରି
କଣ୍ଟାମାନଙ୍କ ନିଶ୍ଚଳ ପଇଁତରା,
ଆଉ ମରୁବୃକ୍ଷର ଦେହ ସାରା କଣ୍ଟା
ତାର ସଞ୍ଚିତ ଦୁର୍ଲ୍ଲଭ ରକ୍ତକୁ
ଲୁଟି ନ ନିଏ ଯେମିତି
ନା ଶୋଷ ନା ଖରା !

ସବୁ ଠିକ୍ ଥିଲା ଜାରି ରହିଥିବା ପର୍ଯ୍ୟନ୍ତ
କଣ୍ଟାମାନଙ୍କ ଗରିଲା ଯୁଦ୍ଧ ଅନ୍ଧାର ବିରୁଦ୍ଧରେ
ବିଗିଡି ଗଲା ସବୁ ସେଦିନ ଯେତେବେଳେ
ଟାଣ ଖରାରେ କଣ୍ଟାଶେଯରେ ଶୋଇ
ସାଧୁଏ ପ୍ରମାଣ କଲେ ତାଙ୍କ ପାରିଲା ପଣ

ତାପରେ ମରୁ ଚରିଲା ମଣିଷର ମସ୍ତିଷ୍କ
ସଙ୍କୁଚିତ ହେଲା ଶାଗୁଆ ହୃଦୟର କ୍ଷେତ
ଏବେ ସବୁଠି କଣ୍ଟାବଣ
କୋଟିପତିର ଆଖିରେ ଗଜୁରିଲା କଣ୍ଟା
ଗଜୁରିଲା ରାଜନେତାର ଜିଭରେ
ଆଶାରାମ ଓ ରାମରହିମର ଯୌନାଙ୍ଗରେ,
ଗଜୁରିଲା ଈଶ୍ବରଙ୍କ ଗେରୁଆ ପୋଷାକରେ,

ଆହା ନଷ୍ଟ ହୋଇଗଲା କଣ୍ଟାର ପବିତ୍ର ଭୋକ
ଦୂଷିତ ରକ୍ତର ସ୍ପର୍ଶରେ

Comments are closed.