Latest Odisha News

ଆତଙ୍କବାଦୀ ଆକ୍ରମଣ; ୨ ପୋଲିସ କର୍ମୀଙ୍କ ସହ ୯ ମୃତ

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଏବେ ଆତଙ୍କବାଦର ଶିକାର ହେଉଛି। ପାକିସ୍ତାନର ବିଭିନ୍ନ ସ୍ଥାନରେ ପ୍ରତିଦିନ ବୋମା ବିସ୍ଫୋରଣ ଘଟୁଥିବା ବେଳେ ମଙ୍ଗଳବାର ଦିନ ଭୟଙ୍କର ବିସ୍ଫୋରଣ ହୋଇଛି।

ମଙ୍ଗଳବାର ଦିନ ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ବଜାରରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଦୁଇ ପୋଲିସ ଅଧିକାରୀ ଏବଂ ୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲା। ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏକ ଅଟୋ ରିକ୍ସାରେ ବିସ୍ଫୋରକ ସାମଗ୍ରୀ ଲଗାଯାଇଥିଲା ବେଳେ ମଝି ବଜାରରେ ବିସ୍ଫୋରଣ ହୋଇଥିଲା।

ଆଫଗାନିସ୍ତାନ ସୀମାନ୍ତ ବାନୁ ଜିଲ୍ଲା ନିକଟବର୍ତ୍ତୀ ତହସିଲ ସରାଇ ନୌରଙ୍ଗ ବଜାରରେ ବୋମା ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସ୍ଥାନରେ ଭଙ୍ଗା ଦୋକାନ ଏବଂ କ୍ଷତିଗ୍ରସ୍ତ ଗାଡ଼ି ଓ ଲୋକଙ୍କ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ଦେଖାଉଛି। ତେବେ ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଗାଡ଼ି ପହଞ୍ଚିଥିଲା। ନୌରଙ୍ଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ସଇଦ ଖାନ କହିଛନ୍ତି ଯେ ଗୁରୁତର ଆହତମାନଙ୍କୁ ତୁରନ୍ତ ବାନୁର ଡାକ୍ତରଖାନାକୁ ନିଆଯାଇଛି।

 

Comments are closed.