Latest Odisha News

BREAKING NEWS

ଦେଶ ଜିତିବ ଯୁଦ୍ଧ, ନେତା ହାରାଇବେ ଗାଦି?

ଇତିହାସର ଇସାରା: ଯୁଦ୍ଧ କେବେ ଭୋଟ୍ ଦିଏନି!

ନୂଆଦିଲ୍ଲୀ: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏବେ ଲାଗି ରହିଛି ଯୁଦ୍ଧ ପରିସ୍ଥିତି। ମଧ୍ୟପ୍ରାଚ୍ୟର ଏହି ତିକ୍ତତା ଭିତରେ ସାରା ବିଶ୍ୱରେ ଏବେ ଏକ ନୂଆ ରାଜନୈତିକ ଆଭିମୁଖ୍ୟ ଓ ଚର୍ଚ୍ଚା ଜୋର ଧରିଛି। ଇତିହାସର ପୃଷ୍ଠା ଓଲଟାଇଲେ ଦେଖିବାକୁ ମିଳେ ଯେ, ଅତୀତରେ ଯେଉଁ ଦେଶ ଯୁଦ୍ଧ କରିଛି, ସେହି ସମୟର ଶାସକ ଦଳ ପରବର୍ତ୍ତୀ ନିର୍ବାଚନରେ ପ୍ରାୟତଃ ହାରିଛି। ତେଣୁ ଏବେ ବଡ଼ ପ୍ରଶ୍ନ ଉଠୁଛି- ଆଗାମୀ ଦିନରେ କଣ ଆମେରିକା ରାଷ୍ଟ୍ରପତି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଦିଚ୍ୟୁତ ହେବେ? ନଜର ପକାନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ ଉପରେ।

ଯୁଦ୍ଧକ୍ଷେତ୍ରର ନାୟକ, ନିର୍ବାଚନରେ ଖଳନାୟକ!

ଯୁଦ୍ଧକ୍ଷେତ୍ରରେ ବାରୁଦର ଗନ୍ଧ। ଇରାନ, ଆମେରିକା ଓ ଇସ୍ରାଏଲ ଏବେ ମୁହାଁମୁହିଁ ସ୍ଥିତିରେ। ଦେଶର ସୁରକ୍ଷା ନାଁରେ ନେତାମାନେ ଜନତାଙ୍କୁ ଏକାଠି କରିବାରେ ଲାଗିଛନ୍ତି। ଯୁଦ୍ଧ ସମୟରେ ହୁଏତ ଦେଶପ୍ରେମର ବହ୍ନି ଜଳେ, କିନ୍ତୁ ଯୁଦ୍ଧ ସରିଲା ପରେ କଣ ହୁଏ? ଅତୀତ କହୁଛି, ରଣକ୍ଷେତ୍ରରେ ବିଜୟୀ ହୋଇଥିବା ନେତାମାନେ ଅନେକ ସମୟରେ ରାଜନୈତିକ ମୈଦାନରେ ମାତ୍ ଖାଆନ୍ତି। ଯାହା ଏବେ ନେତାନ୍ୟାହୁ ଏବଂ ଆମେରିକାର ସର୍ବୋଚ୍ଚ ନେତୃତ୍ୱଙ୍କ ଚିନ୍ତା ବଢ଼ାଇ ଦେଇଛି।

ଯୁଦ୍ଧର ହିରୋ ପାଲଟିବେ କି ରାଜନୀତିର ଜିରୋ?
ଚର୍ଚ୍ଚିଲ ଓ ଇନ୍ଦିରାଙ୍କ ବାଟରେ ଆଉ କିଏ?

ଖାଲି ଏତିକି ନୁହେଁ ଆଉ ଏକ ସବୁଠୁ ବଡ଼ ଉଦାହରଣ ହେଉଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ରିଟେନକୁ ବିଜୟୀ କରି ସେ ମହାନାୟକ ସାଜିଥିଲେ। ହେଲେ ୧୯୪୫ ନିର୍ବାଚନରେ ଜନତା ତାଙ୍କୁ କ୍ଷମତାରୁ ବାହାର କରିଦେଲେ। କାରଣ ଯୁଦ୍ଧ ପରେ ଲୋକଙ୍କୁ ଦରକାର ଥିଲା ରୋଜଗାର ଓ ଆର୍ଥିକ ସ୍ଥିରତା। ଠିକ୍ ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ୍ ମଧ୍ୟ ଇରାକ ଯୁଦ୍ଧ ଏବଂ ୯/୧୧ ଆକ୍ରମଣ ପରେ ଖୁବ୍ ଲୋକପ୍ରିୟ ହୋଇଥିଲେ। କିନ୍ତୁ ଲମ୍ବା ଯୁଦ୍ଧ ଏବଂ ବିଗିଡ଼ୁଥିବା ଅର୍ଥନୀତି ତାଙ୍କୁ ରାଜନୈତିକ ସ୍ତରରେ ଦୁର୍ବଳ କରିଦେଇଥିଲା।

ବନ୍ଧୁକ ମୁନରେ ଶତ୍ରୁ ଚୁପ୍, ହେଲେ ଭୋଟରଙ୍କୁ କିଏ କରିବ ଚୁପ୍?

ଆମ ଦେଶ ଭାରତରେ ବି ଏହାର ପ୍ରମାଣ ରହିଛି। ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧ ଜିତିବା ପରେ ଇନ୍ଦିରା ଗାନ୍ଧୀଙ୍କ ଲୋକପ୍ରିୟତା ଶୀର୍ଷରେ ଥିଲା। ଗାଁଠୁ ସହର ଇନ୍ଦିରା ଥିଲେ ଏକ ରୋଲ୍ ମଡେଲ। ହେଲେ ମାତ୍ର କିଛି ବର୍ଷ ପରେ ଦୈନନ୍ଦିନ ସମସ୍ୟା ଏବଂ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଜନତାଙ୍କ ଆକ୍ରୋଶ ତାଙ୍କୁ ଏକ ବଡ଼ ପରାଜୟର ସାମ୍ନା କରାଇଥିଲା। କାରଣ ଆକାଶରେ ଉଡ଼ୁଥିବା ଯୁଦ୍ଧବିମାନ ଯେତେବେଳେ ତଳକୁ ଓହ୍ଲାଏ, ସେତେବେଳେ ମାଟି ଉପରେ ଦରଦାମ୍‌ର ନିଆଁ ରାଜନେତାଙ୍କ ଗାଦି ଜାଳିଦିଏ। ଏବେ ପ୍ରଶ୍ନ ଉଠୁଛି, ଇସ୍ରାଏଲ ଏବଂ ଆମେରିକାରେ କଣ ସମାନ ସ୍ଥିତି ଉପୁଜିବ? ରାଜନୈତିକ ବିଶ୍ଲେଷକଙ୍କ ମତରେ, ଯୁଦ୍ଧ ବେଳେ ଜାତୀୟ ସୁରକ୍ଷା ପ୍ରସଙ୍ଗ ହେଡଲାଇନ୍ ପାଲଟେ ସତ, କିନ୍ତୁ ଯେତେବେଳେ ଭୋଟ୍ ଦେବାର ବେଳ ଆସେ, ସେତେବେଳେ ଜନତା ମୁଦ୍ରାସ୍ଫୀତି, ବେକାରୀ ଓ ସାଧାରଣ ଜୀବନଯାପନକୁ ଗୁରୁତ୍ୱ ଦିଅନ୍ତି। ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲର ସାଧାରଣ ନାଗରିକ ଦରଦାମ୍ ବୃଦ୍ଧି ଏବଂ ଅସ୍ଥିରତାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି।

ଇତିହାସ ବାରମ୍ବାର ପ୍ରମାଣ କରିଛି ଯେ, ପ୍ରକୃତ ରାଜନୈତିକ ଲଢ଼େଇ ଯୁଦ୍ଧ ସରିବା ପରେ ହିଁ ଆରମ୍ଭ ହୁଏ। ଜାତୀୟ ସୁରକ୍ଷା ହେଡଲାଇନ୍ ତ ବନାଇଦେବ, କିନ୍ତୁ ଖାଲି ପେଟ କଣ ଦେଶପ୍ରେମର ଭାଷା ବୁଝିବ? ତେଣୁ ଏହି ଚାଲିଥିବା ଯୁଦ୍ଧ ଆମେରିକା ରାଷ୍ଟ୍ରପତି ଏବଂ ନେତାନ୍ୟାହୁଙ୍କ ପାଇଁ ବୁମେରାଂ ସାଜିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏବେ ଦେଖିବାକୁ ବାକି ରହିଲା, ଇତିହାସ ନିଜକୁ ପୁଣିଥରେ ଦୋହରାଉଛି ନା ଏହି ନେତାମାନେ ନିଜ ଗାଦି ବଞ୍ଚାଇବାରେ ସଫଳ ହେଉଛନ୍ତି।

Leave A Reply

Your email address will not be published.