ଭୁବନେଶ୍ୱର: ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନର ନୀଳଗିରି ବନାଞ୍ଚଳ ଅନ୍ତର୍ଗତ କାଠଗୋଛି ଜଙ୍ଗଲରେ କଲରା ପତରିଆ ବାଘ ମୃତ। ଶିକାରୀମାନେ ଶିକାର ପାଇଁ ବିଛାଯାଇଥିବା ଜାଲରେ ପଡିଯାଇ ପ୍ରାଣ ହରାଇଛି ବାଘ। ସୋମବାର ବିଳମ୍ବିତ ରାତିରେ ବାଘଟି ନିକଟସ୍ଥ କୁଲଡିହା ଅଭୟାରଣ୍ୟରୁ ପଳାଇ ଆସି ନୀଳଗିରି ରେଞ୍ଜରେ ମୃତ୍ୟୁଘଟିଥିବା ଅନୁମାନ କରାଯାଉଛି। ଆଜି ସକାଳେ ବାଘ ଗର୍ଜନ ଶୁଣି ସ୍ଥାନୀୟ ଅଧିବାସୀ ସେଠାରେ ପହଞ୍ଚିଥିଲେ।
କିଛିକ୍ଷଣ ପରେ ବାଘର ମୃତ୍ୟୁ ଘଟିଥିଲା। ଖବରପାଇ ବନବିଭାଗର କର୍ମଚାରୀ ଓ ଅଧିକାରୀ ମାନେ ସେଠାରେ ମୁତୟନ ଥିବା ସୂଚନା ମିଳିଛି ଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବନ ଅଧିକାରୀମାନେ କହିଛନ୍ତି ଉକ୍ତ ବାଘର ବୟସ ୮-୧୦ ବର୍ଷ ମଧ୍ୟରେ ହେବ । ବାଘଟିକୁ ଉଦ୍ଧାର କରିବା ସତ୍ତ୍ୱେ ଆହତ ଆବସ୍ଥାରେ ମୃତ୍ୟୁବରଣ କଲା।
ବିଭାଗୀୟ ବନ ଅଧିକାରୀ (ଡିଏଫଓ) ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ ପୋଷ୍ଟମର୍ଟମ ପରୀକ୍ଷା ପାଇଁ ଏକ ପଶୁଚିକିତ୍ସା ଦଳ ଘଟଣାସ୍ଥଳରେ ପହଞ୍ଚିଛି। ଏକ ମିଳିତ କାର୍ଯ୍ୟ ବାହିନୀ (ଜେଟିଏଫ) ଦଳ ମଧ୍ୟ ଘଟଣାର ତଦନ୍ତ ପାଇଁ ଯାଉଛି। ପ୍ରାରମ୍ଭିକ ତଦନ୍ତରୁ ଶିକାରୀମାନେ ଜଙ୍ଗଲୀ ଘୁଷୁରୀ ଏବଂ ଅନ୍ୟାନ୍ୟ ବୁଦାମାଂସ ପାଇଁ ଏକ ଫାଶ ବିଛାଯାଇଥିବାର ସୂଚନା ମିଳିଛି। ହେଲେ ଏହି ଫଶରେ କଲରା ପତରିଆ ବାଘ ଫଶି ଯାଇ ପ୍ରାଣ ହରାଇଲା। ଶିକାରୀମାନଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ପ୍ରୟାସ ଚାଲିଛି।