ନୂଆପଡା : ଗ୍ରାମାଞ୍ଚଳ ଗୁଡିକରେ ଉତ୍ତମ ଯୋଗାଯୋଗର ସୁବିଧା ଲାଗି ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ମାତ୍ର ତାହା ସଠିକ୍ ଦିଗରେ କାର୍ଯ୍ୟକାରୀ ହୋଇପାରୁନି । ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଲୋକେ ସମସ୍ୟା ଭୋଗୁଛନ୍ତି । ଯାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ପଞ୍ଚାୟତ ଖଲିଆଭଟା ଗାଁରେ । ଦୀର୍ଘ ୩ ବର୍ଷ ହେବ ଖଡ଼ିଆଳ ଓ ସିନାପାଲି ମୁଖ୍ୟରାସ୍ତା କୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାରେ ବ୍ରିଜ ନିର୍ମାଣ କାମ ଚାଲୁଛି । ହେଲେ ତାହା ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ପ୍ରତିଦିନ ଶହ ଶହ ଜନ ସାଧାରଣ , ସ୍କୁଲ ପିଲା ଏବଂ ଯାନବାହନ ଏହି ରାସ୍ତା ଦେଇ ଗତି କରେ । କିନ୍ତୁ ଏହି ଅଧାପନ୍ତରିଆ ରାସ୍ତା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । ଏପରିକି ଗାଁରେ କାହାରି ଦେହ ଖରାପ ହେଲେ ରୋଗୀ ନେବା ଆଣିବାରେ ବି ସମସ୍ୟା ଦେଖାଦେଇଛି ।
ଖଡ଼ିଆଳ ବ୍ଲକ କିରିକିଟା ପଞ୍ଚାୟତ ର ଖଲିଆଭଟା ପାଖରେ ସାଗଯୋର ନାଳରେ ବ୍ରିଜ ନିର୍ମାଣ ପାଇଁ ଗତ ତିନି ବର୍ଷ ତଳେ ସାତଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଥିଲା । ହେଲେ କାମ ହେବାର କିଛି ଦିନ ପରେ ଦୁଇ ପଟେ କିଛି କାମ କରି ବ୍ରିଜ ର ସ୍ଲାପ ନପକାଇ କାମ କରୁଥିବା ଠିକାଦାର ଚାଲିଯାଇଥିଲେ । ସେହି ଦିନଠାରୁ ବ୍ରିଜ ଅସୁମ୍ପୁର୍ଣ ହୋଇପଡିରହିଛି । ଯାହାଫଳରେ ଲୋକ ଯାତାୟାତ ରେ ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଖଲିଆଭଟା, ଜୁନାପାଣି ର ଲୋକେ କହିଛନ୍ତି । ବାରମ୍ବାର ଅଧାପନ୍ତରିଆ ବ୍ରିଜ କୁ ସମ୍ପୂର୍ଣ୍ଣ କରିବା ପାଇଁ ସରକାରୀ ବାବୁ ଙ୍କ ଠାରୁ ନେଇ ନେତାମନ୍ତ୍ରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଖଡ଼ିଆଳ ସିନାପାଲି ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନ କରାଯିବ ବୋଲି ଚେତାଵନୀ ଦେଇଛନ୍ତି ଖଲିଆଭଟା ଓ ଜୁନାପାଣି ବାସୀ । ସେପଟେ ଯଥାଶୀଘ୍ର ବ୍ରିଜ୍ ନିର୍ମାଣ କାମ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ଖଡ଼ିଆଳ ବିଡ଼ିଓ । ତେବେ କେବେ ସରକାର ଏହି ସମସ୍ୟାକୁ ଗୁରୁତର ସହ ନେବେ ଏବଂ ଅଧାପନ୍ତରିଆ ବ୍ରିଜ୍ ନିର୍ମାଣ ହେବ , ତାହା ଦେଖିବାକୁ ବାକି ରହିଲା ।
Comments are closed.