Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା, ଜଣେ ଗିରଫ

କଲିକତା: ପଶ୍ଚିମବଙ୍ଗରେ ହତଚକିତ କଲାପରି ଏକ ମାମଲା ସାମ୍ନାକୁ ଆସିଛି । ଆଜି (ସୋମବାର) ରାଜ୍ୟର ଦକ୍ଷିଣ ୨୪ ପରଗନାରେ ତୃଣମୂଳ କଂଗ୍ରେସ ନେତା ସୈଫୁଦ୍ଦିନ ଲସ୍କରଙ୍କୁ ଦିନ ଦ୍ବିପହରେ ହତ୍ୟା କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ ।

ଏକ ନ୍ୟୁଜ ଚ୍ୟାନେଲକୁ ସୂଚନା ଦେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ବ୍ୟକ୍ତି ନିଜ ଅପରାଧ ସ୍ୱୀକାର କରିଛନ୍ତି । ତେବେ ଜଏନଗର ଅଞ୍ଚଳରେ ଥିବା ବାମୁଁଗାଚିର ଟିଏମସି ଅଞ୍ଚଳର ଅଧ୍ୟକ୍ଷ ସୌଫୁଦ୍ଦିନ ଲସ୍କରଙ୍କୁ ତାଙ୍କ ଘର ପାଖେ ହିଁ ଗୁଳି କରି ହତ୍ୟା କରାଯାଇଛି ।

ତେବେ କିଛି ଦିନ ପୂର୍ବରୁ ଲସ୍କରଙ୍କ ସମର୍ଥକମାନେ ଅଭିଯୁକ୍ତର ଆଉ ଏକ ସାଥୀକୁ ଧରି ତାକୁ ପିଟିପିଟି ହତ୍ୟା କରିଥିବା ସ୍ଥାନୀୟ ଲୋକ କହିଛନ୍ତି । ଲସ୍କରଙ୍କ ହତ୍ୟା ପଛରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ସମର୍ଥକମାନେ ଥିବା ସ୍ଥାନୀୟ ଟିଏମସି ନେତାମାନେ ଅଭିଯୋଗ କରିଛନ୍ତ । ଅନ୍ୟପଟେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ର ସମର୍ଥକ ମାନେ ଅଭିଯୋଗ ଆଣିଛନ୍ତି ଯେ, ଏହି ଘଟଣା ପରେ ଲସ୍କରଙ୍କ ସମର୍ଥକ ମାନେ ତାଙ୍କ ଘର ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି ।

ଘଟଣାରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ର କେନ୍ଦ୍ରୀୟ ସମିତି ସଦସ୍ୟ ସୁଜାନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଅଭିଯୁକ୍ତକୁ ଧରିବା ପାଇଁ ଓ ଘଟଣାର ପର୍ଦ୍ଦାଫାସ କରିବା ପାଇଁ ପୋଲିସକୁ ସଠିକ ଯାଞ୍ଚ ର ଆବଶ୍ୟକତା ରହିଛି । ସେ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଟିଏମସି ମଧ୍ୟରେ ଆଭ୍ୟନ୍ତରୀଣ ମତଭେଦ ହେତୁ ସୈଫୁଦ୍ଦିନ ଲସ୍କରଙ୍କ ହତ୍ୟା ହୋଇଛି । ଏଥିପାଇଁ ଆମ ଦଳକୁ ଦାୟୀ କରିବାର କୌଣସି ଅର୍ଥ ନାହିଁ ।

Comments are closed.