Latest Odisha News

BREAKING NEWS

ନିଆରା ପରମ୍ପରା: ଲୋକଙ୍କ ଉପରେ ଗାଈ ଚାଲିଲେ ପୂରଣ ହୁଏ ମାନସିକ

ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଏହି ସବୁ ପରମ୍ପରାକୁ ବର୍ଷ ବର୍ଷ ଧରି ଲୋକେ ମାନି ଆସିଥାନ୍ତି । ତେବେ ମଧ୍ୟ ପ୍ରଦେଶର ଏମିତି ଏକ ନିଆରା ପରମ୍ପରା ରହିଛି, ଯାହାକୁ ଲୋକେ ପିଢି ପିଢି ପାଳନ କରି ଆସୁଛନ୍ତି । ଲୋକଙ୍କ ଉପରେ ଗାଈ ଚଢିଲେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି ।

ସେହିପରି ଆମ ସଂସ୍କୃତିରେ ଗୋମାତାକୁ ପୂଜା କରିବାର ପରମ୍ପରା ରହିଛି । ମଧ୍ୟପ୍ରଦେଶର ଉଜ୍ଜୟିନୀରେ ତଳେ ଗୁହାରିଆ ପଡ଼ିଥିବା ଶ୍ରଦ୍ଧାଳୁଙ୍କ ଉପରେ ଗୋରୁଗାଈ ଚଢ଼ାଯିବାର ଏକ ନିଆରା ପରମ୍ପରା ରହିଛି । ଉଜ୍ଜୟିନୀ ଜିଲ୍ଲାର ସଦର ମହକୁମାଠାରୁ ୭୫ କି.ମି. ଦୂର ତଥା ବଡ଼ନଗର ତହସିଲ ଅନ୍ତର୍ଗତ ଭିଡ଼ାବଦ ଗାଁରେ ଦୀପାବଳି ପରଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛିି । ଏପରି କଲେ ମନସ୍କାମନା ପୂରଣ ହେବ ବୋଲି ଲୋକଙ୍କର ବିଶ୍ୱାସ ରହିଛି ।

ପାରମ୍ପରିକ ରୀତିନୀତି ଅନୁଯାୟୀ, ଦୀପାବଳିର ପାଞ୍ଚ ଦିନ ଆଗରୁ ଶ୍ରଦ୍ଧାଳୁମାନେ ଉପବାସ କରିଥାନ୍ତି । ଦୀପାବଳି ପୂର୍ବଦିନ ସେମାନେ ଗାଁର ମନ୍ଦିରରେ ସାରା ରାତି କଟାଇ ଭଜନ ଓ କୀର୍ତ୍ତନ କରିଥାନ୍ତି । ଦୀପାବଳି ପରଦିନ ସକାଳେ ଗ୍ରାମର ସମସ୍ତ ଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ତା’ପରେ ଶ୍ରଦ୍ଧାଳୁମାନେ ଗାଁଦାଣ୍ଡରେ ଲମ୍ବଦଣ୍ଡ ହୋଇ ଶୋଇଥାନ୍ତି । ଏହି ସମୟରେ ଗାଈମାନଙ୍କୁ ଗୋଡ଼େଇ ଗୋଡ଼େଇ ସେମାନଙ୍କ ଉପରେ ଚଢ଼ିଯିବାକୁ ଛାଡ଼ି ଦିଆଯାଏ ।

ଗାଈମାନେ ଦୌଡ଼ି ଯାଉଥିବା ବେଳେ ସେମାନଙ୍କ ଖୁରା ଆଘାତକୁ ଖାତିର ନ କରି ଶ୍ରଦ୍ଧାଳୁମାନେ ସେମିତି ଶୋଇ ରହିଥାନ୍ତି । ଗାଈ ସବୁ ଚାଲିଗଲା ପରେ ଶ୍ରଦ୍ଧାଳୁମାନେ ଉଠିପଡ଼ି ଢୋଲ, ମୃଦଙ୍ଗର ତାଳେ ତାଳେ ଗାଁଦାଣ୍ଡରେ ନାଚିଥାନ୍ତି । ଏଥିରେ କେହି ଜଣେ ବି ଆହତ ହୁଅନ୍ତି ନାହିଁ । ଲୋକଙ୍କ ଭିତରେ ଏକ ବିଶ୍ୱାସ ରହି ଆସିଛି ଯେ, ଗୋମାତା ଦେହରେ ତେତ୍ରିଶ କୋଟି ଦେବଦେବୀ ବାସ କରିଥା’ନ୍ତି । ତେଣୁ ଯାହା ଉପରେ ଗାଈ ଚାଲିଯାଏ, ସେ ଦୈବ ଆଶୀର୍ବାଦ ଲାଭ କରିଥାଏ ।

Comments are closed.