ଭଦ୍ରକ: ଚୋରି ରୋକିବା ବଦଳରେ ନିଜେ ସାଜିଲେ ଚୋର । ପୋଲିସ ବିଭାଗର ଗାଡି ଚୋରି କରି ଜେଲ୍ ଗଲେ ହୋମ୍ଗାର୍ଡ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ହୋମଗାର୍ଡ ଜଣକ ହେଲେ ଭଦ୍ରକ ପୋଲିସର ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିବା ଚନ୍ଦନ ବାରିକ । ସେ ପୁଣି ଅନ୍ୟ କାହାରି ନୁହେଁ ଖୋଦ ପୋଲିସର ଗାଡି କରିଛନ୍ତି ଚୋରି ।
ମିଳିଥିବା ସୂଚନା ମୁତାବକ, ରିଜର୍ଭ ପୋଲିସକୁ ମିଳିଥିବା ଓଡି ୦୫ ଜେଡ୍ ୬୮୨୫ ନମ୍ବର ବିଶିଷ୍ଟ ବିଭାଗୀୟ ଆପାଚି ଗାଡି କ୍ୟାମ୍ପସରୁ ଚୋରି ହୋଇଥିବା ନେଇ ଆରଆଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ । ତଦନ୍ତ ସମୟରେ ବାଇକ ଟିକୁ ଏକ ଗ୍ୟାରେଜରେ ରଙ୍ଗ ବଦଳାଇ ନିଜେ ଚଲାଉଥିବା ନେଇ ଖବର ପାଇଥିଲା ପୋଲିସ ।
ଏହି ଘଟଣାରେ ଟାଉନ ପୋଲିସ ୬୦୧/୨୩ ନମ୍ବର କେସ୍ ରୁଜୁ କରି ୩୮୦, ୪୬୭, ୪୭୮, ୩୪ ଓ ମୋଟର ଯାନ ଆଇନର ଦଫା ୧୯୨ ଅନୁଯାୟୀ ହୋମଗାର୍ଡ ଚନ୍ଦନ ବାରିକ ଓ ଗ୍ୟାରେଜ ମିସ୍ତ୍ରୀକୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି ।
Comments are closed.