Latest Odisha News

BREAKING NEWS

ରାଜ୍ୟରେ ବଢ଼ିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା; ଗତ ପାଞ୍ଚ ବର୍ଷ ମଧ୍ୟରେ ଯାଇଛି ୨୫ ହଜାରରୁ ଊର୍ଦ୍ଧ୍ୱ ଜୀବନ

ଭୁବନେଶ୍ୱର: ରାଜ୍ୟ ଗତ ପାଞ୍ଚ ବର୍ଷ ମଧ୍ୟରେ ଦୁର୍ଘଟଣାରେ ୧୦,୩୦୨ ଜଣ ଆହତ ହୋଇଛନ୍ତି। ଗତ ପାଞ୍ଚ ବର୍ଷରେ ମୋଟ ୫୪,୭୯୦ଟି ସଡ଼କ ଦୁର୍ଘଟଣା ହୋଇଛି। ଯେଉଁଥିରେ ୨୫,୯୩୪ ଜଣଙ୍କ ଜୀବନ ଯାଇଛି। ଆଉ ଆହତ ହୋଇଛନ୍ତି ୫୧, ୮୭୩ ଜଣ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ଦେଇଛନ୍ତି ପରିବହନ ମନ୍ତ୍ରୀ। ୨୦୧୮ ରେ ପ୍ରାୟ ୧୧,୨୬୨ ଦୁର୍ଘଟଣାରେ ୫,୩୧୫ ଜଣ ପ୍ରାଣ ହରାଇଥିବା ବେଳେ ୧୧,୭୯୪ ଜଣ ଆହତ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ୨୦୧୯ ରେ ୧୧, ୦୬୪ ଦୁର୍ଘଟଣାରେ ୫,୩୩୩ ମୃତ୍ୟୁ ହୋଇଥିବା ବେଳେ ବର୍ଷକ ମଧ୍ୟରେ ମୋଟ ୧୧,୧୭୭ ଜଣ ଆହତ ହୋଇଥିଲେ। ୨୦୨୦ ରେ ରାଜ୍ୟ ୯,୮୧୭ ଦୁର୍ଘଟଣା ରେକର୍ଡ କରିଛି। ୪,୭୩୮ ଲୋକ ପ୍ରାଣ ହରାଇଛନ୍ତି ଏବଂ ୮,୮୧୮ ଜଣ ଆହତ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

୨୦୨୧ ମସିହାରେ ୧୦,୯୮୪ ସଡ଼କ ଦୁର୍ଘଟଣାରେ ୫୦୮୧ ମୃତ୍ୟୁ ଏବଂ ୯,୭୮୨ ଆହତ ହୋଇଥିବା ବେଳେ ୨୦୨୨ ମସିହାରେ ୧୧, ୬୬୩ ଦୁର୍ଘଟଣାରେ ୫୪୬୭ ଲୋକ ପ୍ରାଣ ହରାଇଥିଲେ ଏବଂ ୧୦,୩୦୨ ଜଣ ଆହତ ହୋଇଥିଲେ। ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଗତ ବର୍ଷ ତୁଳନାରେ ବଢ଼ିଛି। ୨୦୨୨ରେ ଯାଇଛି ୫ ହଜାର ୪୬୭ ଜଣଙ୍କ ଜୀବନ। ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଛି ଗତବର୍ଷର ଦୁର୍ଘଟଣା ।

ସେହିପରି ସଡ଼କ ସଚେତନତା ବାବଦକୁ ୫ ବର୍ଷରେ ୭୯ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର। ଅଜଣା ଗାଡ଼ି ଧକ୍କା ଦ୍ବାରା ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି ।

Comments are closed.