ସଂଘମିତ୍ରା ରାଏଗୁରୁ
ମୁଁ ପ୍ରେମରେ
ତୁ ବି ପ୍ରେମରେ
ଫରକ ଏତିକି
ମୁଁ ଲୁଣରେ ସମୁଦ୍ର ଦେଖେ
ତୁ ଲୁଣର ସାନ୍ଦ୍ରତା ମାପୁଥାଉ ସମୁଦ୍ର ଭିତରେ
ମୁଁ ଚର୍ଚ୍ଚାରେ
ତୁ ବି ଚର୍ଚ୍ଚାରେ
ଖବରଠୁ ଖବରକାଗଜ ଯାଏ
ଯିଏ ଯେମିତି ଦେଖିଲା ସେଇ ନଜରରେ
ପ୍ରେମ ଆଉ ଚର୍ଚ୍ଚା
ଚର୍ଚ୍ଚା ଆଉ ପ୍ରେମ
ଏକାକଥା ନୁହେଁ କି ?
ଓହୋ ସବୁକିଛି ଆତଯାତ
ତୋ ତୀକ୍ଷ୍ଣ ଇସାରାରେ
ଲୁହ ମହଙ୍ଗା
ହସ ବନ୍ଧେଇହୁଏ ଫଟୋରେ
ନିଲାମ୍ ହୁଏ ଦିନରେ
ବହିଯାଏ ଯୋଜନ ଯୋଜନ
ମାତ୍ର ଗୋଟେ ସେକେଣ୍ଡରେ
ତୁ ତାକୁ ଦେଖୁ ପଢୁ ବୁଝୁ
ତୋ ଅନୁସାରେ
ଦୀର୍ଘ ତେରବର୍ଷ ତେରଦିନ ଧରି
ଆଉଟୁଥିବା ଅହଂରେ
ଯଦି ଫେରେଇଥା’ନ୍ତୁ ଶବ୍ଦ ଦି’ଟା
ମୁଁ ତାକୁ ବି ପଢିଥାଆନ୍ତି
ମୋ ମହୁଆପଣରେ
ବଡ ନିଷ୍ଠୁର ତୁ
ମୋତେ ଡରଲାଗେ ଜାଣି ବି
ହନ୍ତସନ୍ତ କରୁ ସେଇ ନିରବଜାଲରେ
ସମୟର ଏ ଅସମୟରେ
ନିରବତା ମାନେ ନା
ଶବ୍ଦ ସବୁ ଶତ୍ରୁ
ଯୁଆଡେ ଆଖି ସିଆଡେ ମରିଚୀକା
ବାକି ମୁଁ
ପବନ ପଞ୍ଜାରେ ବନ୍ଧାପଡିଥିବା ରାତି ଖଣ୍ଡେ
ଯେଉଁଠୁ ଉଠୁଥାଏ
ତୋ ନାଁର ଜୁଆର
ଦେଖ୍ ,ମୁଁ ବୁଝେ
ପ୍ରାପ୍ତି ନୁହେଁ
ଅପ୍ରାପ୍ତି ବି ପ୍ରେମ ହୋଇପାରେ
ପ୍ରଶ୍ୱ।ସ ନୁହେଁ
ଶାନ୍ତିର ନିଃଶ୍ୱାସଟେ ଜୀବନର ଗୀତ ଗାଇପାରେ
ତୋର ଗୋଟେ ଇସାରାରେ
ଫିଟିପାରେ ରାତି
ହସିପାରେ ଇପ୍ସିତ ସକାଳ
ତୁ ବୁଝୁନୁ କି
ସେଦିନୁ ଏଯାଏ
ମୁଁ ତୋତେ ହିଁ ଖୋଜୁଛି ଈଶ୍ୱର
ଯା’ ଉପରେ ମୋର ଖାଲି ମୋର ଅଧିକାର
ନହେଲେ,ଈଶ୍ୱର ତ ବଣ୍ଟା ସରିଲେଣି
କାହିଁ କୋଉକାଳୁ କେତେ ଟୁକୁରାରେ ।।
Comments are closed.