ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ମୋହର, ମୋର, ହୋଇଛି ମୋ
ତୋହର, ତୋର, ହେଲାଣି ତୋ
ଯେ ଓ ସେ ହୋଇଗଲେଣି
ଯିଏ ଓ ସିଏ ଅଛୁଁ ଜାଣି
ଯିଏମାନେ ଓ ଯେଉଁମାନେ
କେଉଁଟି ଚଳେ ମୁହିଁ ଜାଣେ
ସିଏମାନେ ହୁଏ ସେମାନେ
ବୁଝଂତିନାହିଁ କେଉଁମାନେ ?
କେଉଁ, ଯେଉଁ କି କୋଉ, ଯୋଉ
କମେନି ସ୍ବଭାଷାର ଭାଉ
ଯାହା ହେଲେ ବି ଚଳୁଥାଏ
ଭାଷା ସଦା ଆଗକୁ ଧାଏଁ
ଆମ୍ଭର, ଆମର ଓ ଆମ
ତୁମ୍ଭର, ତୁମର ଓ ତୁମ
ନ ହେଲେ ସୁଦ୍ଧା ସର୍ବସମ
ସବୁ ଭାବ ପ୍ରକାଶକ୍ଷମ
କରିନାହିଁ ଅବା କରିନି
ଉଭୟ ରୂପ ଲୋକେ ଚିହ୍ନି
କରଂତି ନିତି ବ୍ୟବହାର
ଆପତ୍ତି ନ ଥାଏ କାହାର
ଶବ୍ଦ ବଡ଼ କି ସାନ ହୋଇ
ଭାଷାରେ ସୁଂଦର ଚଳଇ
ବର୍ଣର ଲୋପ ଆଉ ଯୋଗ
ଦିଅଂତି ଭାଷୀଂକୁ ସୁଯୋଗ
ସାମାନ୍ୟ ମାତ୍ରା, ଫଳା ଭେଦ
ନୁହଂତି ଭାଷାକୁ ବିପଦ
ଭାଷାର ଏ ନମନୀୟତା
ଯୋଗୁଁ ରହିଛି ତା’ର ସତ୍ତା
ନିୟମ ନ ହେଲେ ଉଦାର
କମେ ଭାଷାର ବ୍ୟବହାର
ଅଯଥା ପ୍ରଥା-ପରାୟଣ
ହେଲେ ଭାଷା ହରାଏ ପ୍ରାଣ
Comments are closed.