କୁଞ୍ଜବିହାରୀ ସାହୁ
ବୋଉ….ବୋଉ….
ହଁ, କଣ ହେଲା କୁନା ?
ବୋଉ କାଲି ପରା କାର୍ତ୍ତିକ ପୂନେଇଁ, ଡଙ୍ଗା ଭସାହେବ ଆମ ଗାଁ ନଦୀରେ ।
ମୋ ପାଇଁ ଡଙ୍ଗା କିଣିଦେବୁନି କି ?
କଦଳୀପଟୁକା ହେଉ ସୋଲର ଡଙ୍ଗା କିଣିଦେ । ମୁଁ ସେଥିରେ ଧୂପ, ଦୀପ, ଫୁଲ ଚନ୍ଦନ, ଭୋଗ ରଖି କାଲି ସକାଳେ ଋଷିକୁଲ୍ଯା ନଦୀପାଣିରେ ଭସେଇଦେବି । ଆମ ଗୁରୁଜୀ କହୁଥିଲେ କାର୍ତ୍ତିକ ପୂନେଇଁରେ କଳିଙ୍ଗର ସାଧବବୋହୁମାନେ ବୋଇତ ବନ୍ଦାଉଥିଲେ । ବୋଇତରେ ଧୂପ, ଦୀପ, ଚନ୍ଦନ, ଫୁଲ ଆଉ ଭୋଗ ରଖି ପୂଜା କରୁଥିଲେ । ଏମିତିକା ଶୁଭଦିନରେ ସାଧବମାନେ ନୀଳ ଦରିଆରେ ବୋଇତ ନେଇ ଜାଭା, ସୁମାତ୍ରା, ବାଲି ଦ୍ୱୀପ, ସିଂହଳ, ବ୍ରହ୍ମଦେଶ ଯାଉଥିଲେ । ନୈାବାଣିଜ୍ୟ କରିବାକୁ ପସନ୍ଦ କରୁଥିଲେ ।
କୁନାର ବୋଉ କହିଲେ – ହଁ ତୁମ ଗୁରୁଜୀ ଠିକ୍ କଥା କହିଛନ୍ତି । ସାଧବମାନେ ବହୁତ ସାହାସୀ ଥିଲେ । କଳିଙ୍ଗ ଦେଶରେ ତାରକସୀ, କୁଟୀର ଶିଳ୍ପ, ହସ୍ତଶିଳ୍ପକୁ ବିଦେଶରେ ରପ୍ତାନୀ କରୁଥିଲେ । ତା ବଦଳରେ ସୁନା, ରୂପା, ହୀରା, ନୀଳା , ମୋତି ମାଣିକ ପରି ବହୁତ ମୂଲ୍ୟବାନ ପଦାର୍ଥ ଆମ ଦେଶକୁ ବୋହିଆଣୁଥିଲେ । ବେପାର ବଣିଜ ସତେ ଯେମିତି ନିଶା ଥିଲା । ସେମାନେ ବିଭିନ୍ନ ଦେଶର ଲୋକମାନଙ୍କ ଭିତରେ ସୁସମ୍ପର୍କ ରଖୁଥିଲେ । ଉତ୍ତର ପୂର୍ବ ଦିଗରୁ ପବନ ବୋହୁଥିବାରୁ ବୋଇତ ବାହି ସମୁଦ୍ରରେ ଯିବାକୁ ସୁବିଧା ହେଉଥିଲା । ସେ କଥାକୁ ମନେପକାଇବା ପାଇଁ ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣିମାରେ ବୋଇତ ଭସାଣ ହୋଇଥାଏ । ନଦୀ, ପୋଖରୀ, ସମୁଦ୍ର ଜଳରେ ସଭିଏଁ ଖୁସି ଆନନ୍ଦରେ ଡଙ୍ଗା ଭସେଇଦିଅନ୍ତି ।
କୁନା କହିଲା -ହଁ ବୋଉ ତୁ ଠିକ୍ କହିଲୁ, ସେଇଥିପାଇଁ ତୁ ମୋ ପାଇଁ ଡଙ୍ଗା କିଣିଦେ ।
କୁନା ବୋଉ ବେଗି ବେଗି ଘରୁ ଗୋଡ଼ କାଢିନେଲେ । ପାଖ ଦୋକାନକୁ ଯାଇ ସୋଲ ତିଆରି ଡଙ୍ଗାଟିଏ କିଣି ଆଣିଲେ । ତା ସହ ନଡିଆ, କଦଳୀ, ଧୂପ, ଦୀପ, ଚନ୍ଦନ, ଫୁଲ ଆଣି ସଜେଇ ରଖିଲେ । କୁନା ଖୁସି ହେଇଗଲା । ରାତି ପାହିଗଲା । ସକାଳୁ ସକାଳୁ ଉଠି ନିତ୍ୟକ୍ରମ ସାରିଦେଲା । ଡଙ୍ଗାଟିକୁ ସଜେଇଦେଇ ତା ବୋଉ ସାଥିରେ ଗାଁ ନଦୀକୁ ଗଲା ।
ଡଙ୍ଗାଟିକୁ ପୂଜା କରି ଗୀତ ଗାଇ ଗାଇ ନଦୀ ଜଳରେ ଭସେଇଦେଲା ।
ଭୁବନେଶ୍ବର
Comments are closed.