Latest Odisha News

ବାରାମୁଲ୍ଲାରୁ ୩ ଲସ୍କର ସହଯୋଗୀ ଗିରଫ, ଚୀନ୍ ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହିତ ଜଡିତ ଆତଙ୍କବାଦୀଙ୍କ ପାଇଁ ଏଠାରେ କାର୍ଯ୍ୟ କରୁଥିବା ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୁଳିଗୋଳା ସହିତ ବହୁ ପରିମାଣରେ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି ।

ଜମ୍ମୁ-କଶ୍ମୀର ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର କଲଗଇର ଝୁଲା ବ୍ରିଜ୍ ନିକଟରେ ଗତକାଲି (ଶନିବାର) ଯାଞ୍ଚ ଓ ପାଟ୍ରୋଲିଂ ବେଳେ ସୁରକ୍ଷା ବାହିନୀ କମଲକୋଟରୁ ଜାତୀୟ ରାଜପଥ ଅଭିମୁଖେ ଆସୁଥିବା ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବ୍ୟାଗ ଧରି ଆସୁଥିବାର ଦେଖି ଅଟକାଇ ଥିଲେ । ସନ୍ଦିଗ୍ଧମାନେ ହେଲେ ଜମୀର ଅହମ୍ମଦ ଖଣ୍ଡେ ଏବଂ ମୋହମ୍ମଦ ନସିମ ଖଣ୍ଡେ ଉଭୟ ମଡିଆଁ କମଲକୋଟ ବାସିନ୍ଦା ବୋଲି ଜଣାପଡିଛି ।

ଅଧିକାରୀ ଙ୍କ କହିବା ଅନୁସାରେ, ତଲାସି ସମୟରେ ସେମାନଙ୍କଠାରୁ ତିନୋଟି ଚାଇନିଜ୍ ହ୍ୟାଣ୍ଡ ଗ୍ରେନେଡ୍ ଏବଂ ନଗଦ ଅଢେଇ ଲକ୍ଷ ଟଙ୍କା ଜବତ କରାଯାଇଛି । ପଚରାଉଚରା ବେଳେ ଉଭୟ ଆତଙ୍କବାଦୀ ପ୍ରକାଶ କରିଛନ୍ତି ଯେ ସେମାନେ ବେଆଇନ ଭାବେ ହ୍ୟାଣ୍ଡ ଗ୍ରେନେଡ ହାସଲ କରିଥିବାବେଳେ ମଞ୍ଜୁର ଅହମ୍ମଦ ଭଟ୍ଟୀ ନାମକ ଜଣେ ବ୍ୟକ୍ତି ଆତଙ୍କବାଦୀ ଆକ୍ରମଣ ପାଇଁ ସେମାନଙ୍କୁ ନଗଦ ଟଙ୍କା ପ୍ରଦାନ କରିଥିଲେ ।

ତେବେ ଘଟଣାରେ ମଞ୍ଜୁର ଭଟ୍ଟିକୁ ଗିରଫ କରାଯାଇଥିବାବେଳେ, ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

Comments are closed.