ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ବିଶୁଦ୍ଧ ହେଲେ ଆମ ଚିଂତା
କାମରେ ରହଇ ଶିଷ୍ଡତା
*ଚିଂତା* ରୁ *କର୍ମ* ହୁଏ ଜାତ
କାମରେ ହୋଇଲେ ଅଭ୍ୟସ୍ତ
*ଅଭ୍ୟାସ* ପାଲଟେ ଚରିତ୍ର
*ଚରିତ୍ର* ହୁଏ ବ୍ୟକ୍ତିଗତ
କିଛି ବି କରୁଁ *ଉଦ୍ଭାବନ*
କି ଜିଉଁ *ନିଷ୍କ୍ରିୟ ଜୀବନ*
ସ୍ବଚିଂତା ଯୋଗୁଁ ସବୁ କରୁଁ
କାହିଁକି କାହାକୁ ପଚାରୁଁ ?
ନିଜେ ହୋଇ ନିଜର ଗୁରୁ
ସଂସାରେ ନିଜାୟୁଷ ସାରୁଁ
ଯାହା କରିବା ଥିବ ରହି
ଜୀବନ ପରା କ୍ଷଣସ୍ଥାୟୀ
ଦି’ଜଣ ମଣିଷ କେବେ ହେଁ
ଜଣେ ତ ଅନ୍ୟ ପରି ନୁହେ
ସତେ ନ ହେଲେ କାର୍ଯାନ୍ବିତ
କି ହେବ ମତ, ଅଭିମତ ?
ଯେତିକି ତଥ୍ୟ ସଂକଳିତ
ଆମେ ତ ତହିଁର ଆଶ୍ରିତ
ହୋଇ କରୁଛୁଁ ଯେତେ କାମ
ହୁଏ ଉତ୍ତମ, ଅନୁତ୍ତମ
ପରସ୍ପର ବିରୋଧୀ ତତ୍ତ୍ବ
ବିଶ୍ବରେ ସଦା କାର୍ଯରତ
ଆଉ ଅନ୍ୟାନ୍ୟ ବୃତ୍ତି ଭଳି
ତହିଁର କାର୍ଯଧାରା ପାଳି
ସମାଜେ ଯାଏ ଯେଣୁ ଚଳି
ଅଲୋଡ଼ା ବିବାଦ ଓ କଳି
ଏପରି ବ୍ୟକ୍ତିର କର୍ତବ୍ୟ
ଯୋଗୁଁ ଯାହା ବି ସତେ ହେବ
ପଡ଼ିଲେ ତହିଁର ପ୍ରଭାବ
ଲୋକେ କରଂତି ଅନୁଭବ
ନିଜର କାର୍ଯକୁ ଉଚିତ
ଭାବି ଯେ ହୁଅଇ ନିଶ୍ଚିତ
ତାହା ଏକାଂତ ବ୍ୟକ୍ତିଗତ
ରୂପେ ତା ହୁଏ ପରିଚିତ
ନିଜେ ନିଜର ମୂଲ୍ୟାଂକନ
ଅଟେ କି ନୁହେ ସମୀଚୀନ
ନିଜେ ସେ କରିଲେ ବିଚାର
ଶୁଭିବ ବହୁବିଧ ସ୍ବର
କୌଣସି ଦୃଢ଼ମନା ବ୍ୟକ୍ତି
ହରାଂତିନାହିଁ ଅଂତର୍ଶକ୍ତି
କରିଚାଲଂତି ନିଜ କାର୍ଯ
ହେଉ ବା ନ ହେଉ ସ୍ବୀକାର୍ଯ
ଗାଆଁ କି ସହରର ଘର
ରହିଲେ ହୁଅଇ ଆମର
କରୁଁ ଯେଉଁଠି ଅବସ୍ଥାନ
ସେଠି ଚଳେ ମହାଜୀବନ
ମତ ତ ସମସ୍ତଂକ ପାଇଁ
କିଛି ବି ବ୍ୟକ୍ତିଗତ ନାହିଁ
ଯେ କେହି ହୁଏ ଉତ୍ସାହିତ
ବର୍ଜନ କରେ ଭିନ୍ନ ମତ
ଯାହାକୁ ଯେମିତି ସୁହାଏ
ସେ ସଦା ସେହିପରି ହୁଏ
ସମାଜ ସହିତ ସଂପର୍କ
ନିମଂତେ ଲୋଡ଼ାନାହିଁ ତର୍କ
ଚେଷ୍ଟା କଲେ ଜିଣୁ ବା ହାରୁଁ
ଚେଷ୍ଟା ନ କଲେ ନିଶ୍ଚେ ହାରୁଁ
Comments are closed.