ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ଦିନ ଦ୍ୱିପ୍ରହରରେ ହେଉଥିବା ଏହି ଚୋରି ଘଟଣା ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରିଦେଇଛି। ଆଉ ଦିନ ସମୟରେ ଏଭଳି ଚୋରି ଘଟଣା ସାମ୍ନାକୁ ଆସିବା ପରେ କମିସନରେଟ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଏକ ଭେଳିକି ବୋଲି କୁହାଯାଉଛି।
ଏଭଳି ଏକ ଘଟଣା ନଭେମ୍ବର ୨୦ ତାରିଖରେ ବଡଗଡ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ୱର ବାଗ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳର ସୁରଜନ କୁମାର ଦାସ ନିଜ ଘରୁ ଚୋରି ହୋଇଥିବା କାମ ସାରି ଘରକୁ ଫେରିବା ପରେ ଜାଣିଥିଲେ। ୧୫ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି।
ଚୋରି ଘଟଣା ପରେ ଭୁବନେଶ୍ୱରରେ ରହିବା ବିପଦପୂର୍ଣ୍ଣ ବୋଲି ସୁରଜନ ଦାସ କହିଛନ୍ତି। ସବୁକିଛି ଲୁଟ୍ ହୋଇଥିବା ଜାଣି ସେ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ଚୋରି ହେବା ଦର୍ଶାଉଛି ଯେ ଘର ଚାରିପଟେ ଚୋର ମାନେ ଘୁରି ବୁଲୁଛନ୍ତି ସାଧାରଣ ବେଶରେ। ଏବଂ କିଏ କୁଆଡେ ଯାଉଛନ୍ତି ତା ଉପରେ ନଜର ରଖୁଥିବା ସେ ଆଶଙ୍କା ପ୍ରକାଶ କରିଛନ୍ତି।
ନିୟମିତ ପୋଲିସ ପାଟ୍ରୋଲିଂ ଏବଂ ସର୍ଭେଲାନ୍ସ ପଦକ୍ଷେପ ସତ୍ତ୍ୱେ ଏହିପରି ଏକ ଘଟଣା ଘଟିଥିବାରୁ ଜନସାଧାରଣଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଅନ୍ୟତମ ନିବାସୀ ପ୍ରଭାତ କୁମାର ନନ୍ଦ କହିଛନ୍ତି, ଯଦି ଘରେ କେହି ଥାଆନ୍ତେ ତେବେ ଦୁର୍ବୃତ୍ତମାନେ ହୁଏତ ସେମାନଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥାଆନ୍ତେ। ପ୍ରକୃତରେ ରାଜଧାନୀରେ ରହିବା ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ସେ କହିଛନ୍ତି।
ଅପରାଧୀଙ୍କୁ ଧରିବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଚୋରି ସାମଗ୍ରୀ ଜବତ କରିବା ଏବେ ବି ଏକ ଚ୍ୟାଲେଞ୍ଜ ହୋଇ ରହିଛି। ଏସିପି (ଜୋନ୍-୬) ଏସ୍ଏନ୍ ମୁଦୁଲି ଚୋରି ହୋଇଥିବା ଜିନିଷକୁ ଉଦ୍ଧାର କରିବା ପାଇଁ ଚାଲିଥିବା ଉଦ୍ୟମକୁ ସ୍ୱୀକାର କରିବା ସହ ଯେଉଁ ଗହଣା ଦୋକାନରେ ଅଦଳବଦଳ ହୋଇଥିଲା ସେଥିରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରାଯାଇଥିବା ସେ କହିଛନ୍ତି। ଦିନ ସମୟରେ ରେକି ପରେ ଚୋରି ପାଇଁ ଲୁଟେରା ପ୍ରସ୍ତୁତ ହେଉଥିବା ଜଣାପଡିଛି।
ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ ବୋଲି କୁହାଯାଉଛି। ଏପରି ସ୍ଥିତିରେ ଚୋରିର ମାତ୍ରା ବଢିବା ପୁଲିସର ପଦକ୍ଷେପ ପ୍ରଭାବହୀନ ବୋଲି ଦର୍ଶାଉଛି। ସହରବାସୀଙ୍କ ଘର ଓ ଜିନିଷପତ୍ରର ସୁରକ୍ଷା ଏବେ ସବୁବେଳେ ଚିନ୍ତାର କାରଣ ପାଲଟିଥିବା ବେଳେ ସହରରେ ସେମାନଙ୍କ ସୁରକ୍ଷା ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Comments are closed.