Latest Odisha News

ସଂସଦରେ ‘ମହୁଆ’ ଝଡ: ‘ମୁଁ ଦୁର୍ଗା, ଆସିଗଲି.. ବସ୍ତ୍ରହରଣ କରିଥିଲ, ଏବେ ମହାଭାରତ ଯୁଦ୍ଧ ଦେଖ’

ନୂଆଦିଲ୍ଲୀ:ସଂସଦର ଶୀତକାଳୀନ ଅଧିବେଶନ ଆଜି ପଞ୍ଚମ ଦିନ । ଆଜି ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ କ୍ୟାଶ ଫର କୋରି ଅଭିଯୋଗରେ ଲୋକସଭାରେ ଏଥିକ୍ସ କିମିଟି ରିପୋର୍ଟ ପ୍ରଦାନ କରିଛି । ରିପୋର୍ଟରେ ମହୁଆ ମୋଇତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ କରିବା ପାଇଁ ସୁପାରିଶ କରାଯାଇଛି । ଏଥସହିତ ମହୁଆଙ୍କ ବିରୋଧରେ ଗମ୍ଭୀର ଅଭଯୋଗ ଅଣାଯିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ରିପୋର୍ଟ ଆଗତ ହେବା ପରେ ଗୃହରେ ବିରୋଧୀମାନେ ଜୋରଦାର ହଙ୍ଗାମା କରିଥିଲେ । ଫଳରେ ଗୃହକୁ ଅପରାହ୍ନ ୨ଟା ଯାଏ ସ୍ଥଗିତ ରଖାଯାଇଥିଲା ।

ଏହା ପୂର୍ବରୁ ମହୁଆ ସଂସଦକୁ ଆସି ଯାଇଥିଲେ । ଆସିବା ବେଳେ ଏକ ଭିନ୍ନ ଅନ୍ଦାଜରେ ଆସିଥିଲେ । ଆସୁ ଆସୁ ସଂସଦରେ କହିଥିଲେ, ‘ମୁଁ ଦୁର୍ଗା..ଆସିଗଲି । ଏବେ ଦେଖିବ.. । ମଣିଷର ଯେତେବେଳେ ବିନାଶ ବେଳ ଆସେ ତା ପୂର୍ବରୁ ବିବେକ ମରିଯାଏ । ସେମାନେ ବସ୍ତ୍ର ହରଣ ଆରମ୍ଭ କରିଥିଲେ..ଏବେ ମହାଭାରତର ଯୁଦ୍ଧ ଦେଖିବେ ।

ମହୁଆଙ୍କ ଏପରି ବୟାନ ଉପରେ ବିଜେପି ପାଲଟା ଆକ୍ରମଣ କରିଥିଲା । ବିଜେପିର ପଶ୍ଚିମବଙ୍ଗ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର କହିଛନ୍ତି, ବସ୍ତ୍ର ହରଣ ଦ୍ରୌପଦୀଙ୍କର ହୋଇଥିଲା, ସୃପଣେଖାଙ୍କର ନୁହେଁ । ତେଣୁ ଏହି ମାମଲାରେ ମହାଭାରତ ହେବନି । ମହାଭାରତର କୃଷ୍ଣ ଏବଂ ଅର୍ଜ୍ଜୁନ ଏପଟେ ଅଛନ୍ତି ..ପିଏମ ମୋଦି ଏବଂ ଅମିତ ଶାହ । ମହାଭାରତ ଧର୍ମର ରକ୍ଷା ପାଇଁ ହୋଇଥିଲା । ମହୁଆ ଅଧର୍ମ କରିଛନ୍ତି । ମହାଭାରତରେ ମଧ୍ୟ ଅଧର୍ମର ହାର ହୋଇଥିଲା ଏବଂ ଧର୍ମର ଜିତ ହୋଇଥିଲା । ଏଥର ମଧ୍ୟ ଧର୍ମର ଜିତ ହେବ ।

ମିଳିଥିବା ରିପୋର୍ଟ ଅନୁସାରେ, ସମିତି ସୁପାରିଶ ଆଧାରରେ ମହୁଆଙ୍କ ସଦସ୍ୟତା ରଦ୍ଦ ପ୍ରସ୍ତାବ ଉପସ୍ଥାପନ କରାଯିବ । ଏ ରିପୋର୍ଟ ଉପରେ ବିରୋଧୀ ମତ ସଂଗ୍ରହ ପାଇଁ ଦାବି କରିଛି । ତେଣୁ ବିଜେପି ନିଜ ସାଂସଦଙ୍କ ପାଇଁ ହ୍ୱିପ ଜାରି କରି ସମସ୍ତଙ୍କୁ ଆଜି ଗୃହରେ ଉପସ୍ଥିତ ରହିବା ପାଇଁ କହିଛି ।

Comments are closed.