କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ବିଜୁ ଛାତ୍ର ଜନତା (ବିସିଜେଡ଼ି) ଦଳର ଉପ-ସଭାପତି ମନଜିତ ଦାସଙ୍କ ବିରୋଧରେ ଗାଳିଗୁଲଜ କରିଥିବା ଅଭିଯୋଗ ନେଇ ମଙ୍ଗଳବାର ଦିନ ଥାନାରେ ଅଭିଯୋଗ କରିଛନ୍ତି ।
ଏନେଇ ସାଂସଦ ଅନୁଭବଙ୍କ ବ୍ୟକ୍ତିଗତ ନିରାପତ୍ତା ଅଧିକାରୀ (ପିଏସଓ) ପୁରୀଘାଟ ଥାନାରେ ମନଜିତଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ ସାଂସଦଙ୍କୁ ମନଜିତ ଧମକ ଦେଇଛନ୍ତି । ତେଣୁ ଭାରତୀୟ ପିଙ୍ଗଳ କୋର୍ଡ଼ ୩୪୧, ୩୨୩, ୨୯୪, ୩୦୭ ଏବଂ ୩୭୯ ଦଫାରେ ଏକ ମାମଲା ରୁଜୁ ହୋଇଥିବାର ସୂଚନା ମିଳଛି ।
ବ୍ୟକ୍ତିଗତ ବିବାଦ ସୋସିଆଲ୍ ମିଡ଼ିଆରେ ଉଗ୍ରରୂପ ନେଲା:
ସୋମବାର ଦିନ ସାଂସଦ ଅନୁଭବ ଏସମ୍ପର୍କରେ ଏକ ପୋଷ୍ଟ ନିଜ ଟ୍ୱିଟର ପୃଷ୍ଠାରେ ପୋଷ୍ଟି କରିଥିଲେ । ସାଂସଦଙ୍କ କହିବାନୁଯାୟୀ, କଟକ ନନ୍ଦୀସାହିରେ ରହୁଥିବା ତାଙ୍କ ପଡ଼ୋଶୀ ପୂର୍ବରାତିରେ ତାଙ୍କୁ ଗାଳି ଗୁଲଜ କରିଥିଲେ । ତାଙ୍କ ଘର ଆଗରେ ହୋହାଲ୍ଲା କରିବା ସହିତ ମଦ୍ୟପାନ ଅବସ୍ଥାରେ ତାଙ୍କୁ ଗାଳି ଗୁଲଜ କରିଥିଲେ ବୋଲି ସେ ପ୍ରଥମେ ସୋସିଆଲ୍ ମିଡ଼ିଆରେ ଜଣାଇଥିଲେ ।
ଏହି ପୋଷ୍ଟିଂରେ ସେ ପୋଲିସ କମିଶନରଙ୍କୁ ମଧ୍ୟ ଟ୍ୟାଗ୍ କରିଥିବା ଜଣାପଡ଼ିଛି । ସେ ସୋସିଆଲ ମିଡ଼ିଆରେ ଅଭିଯୋଗ କରିବା ସହିତ ସେଥିରେ ଉଲ୍ଲେଖ କରିଛନ୍ତି ଯେ, ମନଜିତ ଯିଏକି ତାଙ୍କ ପଡ଼ୋଶୀ ତାଙ୍କ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି । ମୁଁ ମୋ ଘର ସାମ୍ନାରେ ଛିଡ଼ା ହୋଇଥିବା ବେଳେ ମୋ ସହିତ ଏହିପରି ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା । ସମସ୍ତ କଥା ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
ପୋଲିସ ମଧ୍ୟ କରିଛନ୍ତି ଦୁର୍ବ୍ୟବହାର !
ଖାଲି ସେତିକି ନୁହେଁ, ଏନେଇ ଅନୁଭବ ମଧ୍ୟ ଅଭିଯୋଗ କରି କହିଛନ୍ତି ଯେ, ପୁରୀଘାଟ ଥାନା ଭାରପ୍ରାପ୍ତ ଅଧିକାରୀ ମୋ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି । ଏହା ମୋ ଲାଗି ଅସହ୍ୟ ହୋଇପଡ଼ିଛି ।
“ମନଜିତ ଦାସ ଏବଂ ତାଙ୍କର ସାଥିମାନେ ମୋତେ ଆକ୍ରମଣ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେମାନଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।” ଟ୍ୱିଟର ମାଧ୍ୟମରେ ସାଂସଦ ଏକ ଭିଡ଼ିଓ ପୋଷ୍ଟ କରି ଏହା ଉଲ୍ଲେଖ ମଧ୍ୟ କରିଥିବା କଥା ସୂଚନା ମିଳିଛି ।
ଏସମ୍ପର୍କରେ ଯୁବନେତା ମନଜିତ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ସାଂସଦ ଅନୁଭବ ମୋତେ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି । ସାମାନ୍ୟ ଗାଡ଼ି ରଖିବାକୁ ମନା କରିବାରୁ ଏପରି ଖରାପ ପ୍ରଦର୍ଶନ କରିଛନ୍ତି ସାଂସଦ ବୋଲି ମନଜିତ ଓଲଟା ଅନୁଭବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ମନଜିତ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ଥାନୀୟ କିଛି ପିଲାମାନଙ୍କର କଳିକୁ ସମାଧାନ କରିବାକୁ ମୁଁ ଚେଷ୍ଟା କରୁଥିବା ବେଳେ ଘଟଣାସ୍ଥଳରେ ସାଂସଦ ପହଞ୍ଚିଥିଲେ । ସେଠାରେ ମୋତେ ଗାଳି ଗୁଲଜ କରିବାକୁ ଆରମ୍ଭ କରିଥିଲେ । ସେ ମୋତେ ଜଣେ ଅପରାଧି ଏବଂ ଜଣେ ଅସାମାଜିକ ବ୍ୟକ୍ତି ବୋଲି କହି ଗାଳି ଗୁଲଜ ମଧ୍ୟ କରିଛନ୍ତି ।
ଏପରିକି ଶ୍ରୀ ଦାସ ମଧ୍ୟ ଅନୁଭବଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ, ମୁଁ ସାଂସଦଙ୍କୁ ଅନୁରୋଧ କରୁଛି ସେ ଯାହାକିଛି ଅଭିଯୋଗ କରିଛନ୍ତି ତାହାର ପ୍ରମାଣ ଦିଅନ୍ତୁ ।
ଆହୁରି ମଧ୍ୟ ମନଜିତ କହିଛନ୍ତି, ସାଂସଦ ହୋଇଥିଲେ ମଧ୍ୟ ରାଜନୀତିରେ ଅନେକ କଥା ଶିଖିବାକୁ ବାକି ରହିଛି ଅନୁଭବଙ୍କର । ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇପାରେ ବୋଲି ଥାନାରେ ପାଲଟା ଅଭିଯୋଗ କରିନାହାନ୍ତି ବୋଲି କହିଛନ୍ତି ଯୁବନେତା ମନଜିତ ଦାସ ।
Comments are closed.