Latest Odisha News

ସଂସଦରେ ଆତଙ୍କବାଦୀ ଆକ୍ରମଣକୁ ୨୨ ବର୍ଷ, ସହିଦଙ୍କ ବଳିଦାନକୁ ମନେ ପକାଉଛି ସମଗ୍ର ଦେଶ

ନୂଆଦିଲ୍ଲୀ: ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ୨୨ ବର୍ଷ ପୁରିଛି । ୨୦୦୧ ମସିହା ଡିସେମ୍ବର ୧୩ ତାରିଖ ଆଜିର ଦିନରେ ଦେଶର ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ସଂସଦ ଉପରେ ହୋଇଥିଲା ଆତଙ୍କୀ ହମଲା । ଯେଉଁଥିରେ ପ୍ରାଣ ହରାଇଥିଲେ ୯ ଜଣ ସୁରକ୍ଷାକର୍ମୀ । ଆଜିର ଏହି କଳା ଦିନରେ ସହିଦଙ୍କ ବଳିଦାନକୁ ମନେ ପକାଉଛି ପୁରା ଦେଶ । ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କୁ ସଂସଦ ଭବନ ପରିସରରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଲୋକସଭା ବାଚସ୍ପଚି ଓମ ବିର୍ଲା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ଅନ୍ୟପଟେ ଆଜିର ଏହି ଦୁଃଖ ଭରା ଦିନକୁ ମନେ ପକାଇବା ସହ ଟ୍ବିଟ୍ କରି ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଟ୍ବିଟ୍ ରେ ଲେଖିଛନ୍ତି ଯେ, ‘୨୦୦୧ ମସିହାରେ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିଜ ପ୍ରାଣବଳୀ ଦେଇଥିବା ସେହି ବୀରମାନଙ୍କ ପାଖରେ ରାଷ୍ଟ୍ର ସବୁବେଳେ ଋଣୀ ରହିବ । ସହିଦ ଜବାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ, ଆସ ସମଗ୍ର ବିଶ୍ବରେ ମାନବ ଜାତି ପାଇଁ ବିପଦ ସାଜିଥିବା ଆତଙ୍କବାଦୀମାନଙ୍କୁ ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ପଣ ନେବା’।

ତେବେ ୨୦୦୧ ମସିହା ଆଜିର ଦିନରେ ସଂସଦରେ ଶୀତକାଳୀନ ଅଧିବେଶନ ଚାଲିଥିଲା । ବିରୋଧୀଙ୍କ ଜବରଦସ୍ତ ହୋ ହଲ୍ଲା ପରେ ଗୃହକୁ ୪୦ ମିନିଟ୍ ପାଇଁ ମୁଲତବୀ ରଖାଯାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ବିରୋଧି ଦଳ ନେତା ସୋନିଆ ଗାନ୍ଧୀ ଓ ଅଳ୍ପ କିଛି ସାଂସଦ ସଦନ ବାହାରକୁ ଚାଲିଯାଇଥିଲେ । ହେଲେ ଆକ୍ରମଣ ସମୟରେ ଗୃହମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ ଙ୍କ ସହ ଅନେକ ନେତାମନ୍ତ୍ରୀ ଓ ଦୁଇ ଶହ ସଂସାଦ ଉପସ୍ଥିତ ଥିଲେ । ସେହି ଦିନ ଏକ ଧଳା ଆମ୍ବାସ୍ୟାଡର କାରରେ ପାଞ୍ଚ ଜଣ ଆତଙ୍କବାଦୀ ଆସି ୪୫ ମିନିଟ ଧରି ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରରେ ଗୁଳି ଫୁଟାଇ ସମଗ୍ର ଦେଶକୁ ଚକିତ କରି ଦେଇଥିଲେ । କିଛି ସମୟ ମଧ୍ୟରେ ରଣ ଭୂଇଁ ପାଲଟିଲା ସଂସଦ ଭବନ । ସମସ୍ତ ୫ ଆତଙ୍କବାଦୀଙ୍କୁ ମଧ୍ୟ ନିପାତ କରିଥିଲେ ସୁରକ୍ଷାକର୍ମୀ । ଅନ୍ୟପଟେ ଏହି ଆକ୍ରମଣରେ ୨ ଜଣ ସଂସଦର ସୁରକ୍ଷାକର୍ମୀ, ୬ ଜଣ ଯବାନଙ୍କ ସମେତ ଜଣେ ଡ୍ରାଇଭରଙ୍କର ପ୍ରାଣହାନୀ ଘଟିଥିଲା ।

Comments are closed.