ଭୁବନେଶ୍ବର: ବିସ୍ଥାପିତ ଲୋକଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ୯୦୦ ପରିବାର, ଗଞ୍ଜାମ ଜିଲ୍ଲା ସୋରଡା ତହସିଲର ୧୬୬୨ ଲୋକ ଏଥିରେ ଉପକୃତ ହୋଇଛନ୍ତି। 5T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ପରେ ୧୦୦ ବର୍ଷର ସମସ୍ୟାର ସମାଧାନ ୧୦୦ ଦିନରେ ହୋଇଛି।
ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ୧୮ଟି ରାଜସ୍ବ ଗ୍ରାମ ପାଇଁ ସର୍ଭେ ଆରମ୍ଭ ହୋଇଥିଲା। ଏଥିମଧ୍ୟରୁ ଆଜି ୭ଟି ଗାଁର ୮୬୬ଟି ପରିବାର ପାଇଁ ସର୍ଭେ ସଂପୂର୍ଣ୍ଣ କରାଯାଇ ଜମିପଟ୍ଟା ଦିଆଯାଇଛି। ବାକି ୧୧ଟି ଗାଁର ୧୩୩୯ଟି ପରିବାର ଖୁବଶୀଘ୍ର ଜମିପଟ୍ଟା ପାଇବେ । ସେହିପରି ଗଞ୍ଜାମ ଜିଲ୍ଲା ସୋରଡା ତହସିଲର ୯୬୨ ଜଣଙ୍କୁ ଘରଡିହ ପଟ୍ଟା ଓ ୭୦୦ ଜଣଙ୍କୁ ଜମିପଟ୍ଟା ବଣ୍ଟନ କରାଯାଇଛି ।
ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍ଥାନୀୟ ଲୋକ ଓ ହିତାଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନଙ୍କ ଖୁସି ହିଁ ମୋର ସବୁଠାରୁ ବଡ ସଫଳତା । ଗଞ୍ଜାମ ଜିଲ୍ଲାରେ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ଦିଆଯାଇଥିଲା । ଖୁବଶୀଘ୍ର ଆଉ ୧୮ହଜାର ହିତାଧିକାରୀ ଗ୍ରାମକଣ୍ଠ ପଟ୍ଟା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ତେଣୁ ଆପଣମାନଙ୍କ ହିତକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ସମାଧାନ ପାଇଁ ନିଷ୍ପତ୍ତି ନେଇଥିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଅଗଷ୍ଟ ୨୦ ତାରିଖରେ ଝାରସୁଗୁଡା ଏବଂ ଅଗଷ୍ଟ ୨୬ ଓ ୨୭ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ବିଭିନ୍ନ ସମସ୍ୟା ସହିତ ବିସ୍ଥାପିତ ମାନଙ୍କ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ପରେ ଜମି ଗୁଡିକର ତୁରନ୍ତ ସର୍ଭେ କରାଯାଇ ପଟ୍ଟା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସାରଦା ନାୟକ, ଆସିକା ସଂସାଦ ପ୍ରମିଳା ବିଶୋଇ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଓ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.