Latest Odisha News

୨୦୨୪ ନିର୍ବାନନ ପାଇଁ ଗଡ଼ ସଜାଡୁଛି କଂଗ୍ରେସ: ତିନି ରାଜ୍ୟରେ ପରାଜୟ ପରେ ଏବେ ଆସଛି ବଡ ପରିବର୍ତ୍ତନ

ଭୁବନେଶ୍ୱର: ପାଗ ଭିଡୁଛି କଂଗ୍ରେସ । ତିଆରି କରିଛି ନୂଆ ରଣନୀତି । ୨୦୨୪ ମୁକାବିଲା ପାଇଁ ହେଉଛି ସଜବାଜ । ଏକାଧିକ ରାଜ୍ୟରେ ବଦଳାଇଛି ପ୍ରଭାରୀ । ଓଡ଼ିଶା ବି ସେଥିରୁ ବାଦ ଯାଇନି । ପ୍ରଦେଶ କଂଗ୍ରେସ ନେତା ଦିଲ୍ଲୀରୁ ଫେରିବାର ଗୋଟିଏ ଦିନ ପରେ ହୋଇଛି ଏପରି ପରିବର୍ତ୍ତନ ।

କର୍ଣ୍ଣାଟକ ନିର୍ବାଚନ ପରେ ଦଳର ଯେଉଁ  ଜୋସ ଥିଲା ତାହା ଆଉ ଏବେ ନାହିଁ । ମଧ୍ୟପ୍ରଦେଶ, ଛତିଶଗଡ,ରାଜସ୍ଥାନରେ ସତ୍ତା ହରାଇବା ପରେ କଂଗ୍ରେସ ଶିବିରରେ ଆରମ୍ଭ ହୋଇଥିଲା ଅଙ୍କକଷା । ତିଆରି ହେଉଥିଲା ରଣନୀତି । ଆଉ ଶନିବାର ଦେଖିବାକୁ ମିଳିଥିଲା ଏହାର ଚୂଡାନ୍ତ ଫଳ ।

ତିନି ରାଜ୍ୟରେ ପରାଜିତ ହେବା ପରେ ଗଡ ସଜାଡିବାକୁ ଆରମ୍ଭ କରିଛି ଦଳ । ଓଡ଼ିଶା ପ୍ରଭାରୀ ଥିବା ଚେଲ୍ଲା କୁମାରଙ୍କୁ ହଟାଇ ତାଙ୍କ ବଦଳରେ ଓଡ଼ିଶା ଦାୟିତ୍ୱ ଦିଆଯାଇଛି ଡକ୍ଟର ଅଜୟ କୁମାରଙ୍କୁ । ଡ. ଅଜୟ କୁମାର ଝାଡଖଣ୍ଡର ନେତା ଓ ସେ ଝାଡଖଣ୍ଡ ପ୍ରଦେଶ କଂଗ୍ରେସ କମିଟି ସଭାପତି ଥିଲେ । ସେ ଓଡ଼ିଶା ସମେତ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ । ଡକ୍ଟର ଅଜୟ ପୂର୍ବରୁ ସିକିମ, ତ୍ରିପୁରା, ନାଗାଲାଣ୍ଡର ପ୍ରଭାରୀ ମଧ୍ୟ ଥିଲେ । ଏହାବ୍ୟତୀତ ସେ ଜାମସେଦପୁର ସାଂସଦ ମଧ୍ୟ ଥିଲେ ।

ଏହାବ୍ୟତୀତ ମହାରାଷ୍ଟ୍ର, ବିହାର, ମେଘାଳୟ, ମିଜୋରାମ, ଅରୁଣାଚଳ ପ୍ରଦେଶ, ଜମ୍ମୁକଶ୍ମୀର, ହିମାଚଳ ପ୍ରଦେଶ, ଚଣ୍ଡୀଗଡ, ରାଜସ୍ଥାନ, ପଞ୍ଜାବ ଆଦି ପ୍ରଦେଶର ପ୍ରଭାରୀ ମଧ୍ୟ ବଦଳିଛନ୍ତି ।

ମହାରାଷ୍ଟ୍ରର ପ୍ରଭାରୀ ଭାବେ ରମେଶ ଚେନ୍ନଥାଲା, ବିହାରର ମୋହନ ପ୍ରକାଶ, ମେଘାଳୟ, ମିଜେରାମ, ଓ ଅରୁଣାଚଳ ପ୍ରଦେଶ ପାଇଁ  ଡକ୍ଟର ଚେଲ୍ଲା କୁମାର, ଜମ୍ମୁକଶ୍ମୀର ପାଇଁ ଭରତସିଂ ସୋଲାଙ୍କି, ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ ପାଇ ରାଜୀବ ଶୁକ୍ଳା,ରାଜସ୍ଥାନ ପାଇଁ ସୁଖଜିଦ୍ଦର ସିଂହ ରନ୍ଧୱା, , ପଞ୍ଜାବ ପାଇଁ ଦେଭେନ୍ଦର ୟାଦବ, ଗୋଆ, ଡାମନଡିଉ,ଦାଦ୍ରା ନଗର ହାବେଳି ପାଇଁ ମାନିକ ରାଓ ଠାକରେ, ତ୍ରିପୁରା, ସିକିମ, ମଣିପୁର ଓ ନାଗାଲାଣ୍ଡ ପାଇଁ ଗୀରିଶ ଚୋଡଙ୍କର, ଆନ୍ଧ୍ରପ୍ରଦେଶ ଓ ଆଣ୍ଡାମାନ ନିକୋବର ପାଇଁ ମଣିକମ ଟାଗୋରଙ୍କୁ ଦାୟିତ୍ୱ ଦିଆ ଯାଇଛି । ପ୍ରଶାସନିକ ଦାୟିତ୍ୱ ଦିଆ ଯାଇଛି ଗୁରୁଦୀପ ସିଂହ ସପ୍ପାଲଙ୍କୁ ।

୨୦୨୪ ନିର୍ବାଚନ ପାଇଁ ଏବେ କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଛି । ତିନି ରାଜ୍ୟରେ ରହିଥିବା ତ୍ରୁଟିକୁ ସଜାଡି କର୍ଣ୍ଣାଟକ ଫର୍ମୁଲାରେ ଆଗକୁ ଯିବା ପାଇଁ ସଂଗଠନକୁ ସଜାଡୁଛି ।

Comments are closed.