ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ରେସଲର ଭିନେଶ ଫୋଗଟ ଶନିବାର କର୍ତବ୍ୟ ପଥରେ ତାଙ୍କୁ ମିଳିଥିବା ଅର୍ଜୁନ ପୁରସ୍କାରକୁ ଛାଡି ପଳାଇ ଆସିଛନ୍ତି । ସେ ଏହାକୁ ଫେରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଉଥିଲେ ମଧ୍ୟ ସେଠାରେ ତାଙ୍କୁ ପୋଲିସ ଅଟକାଇଥିଲେ । ଫଳରେ ସେ ତାଙ୍କ ପୁରସ୍କାର କର୍ତବ୍ୟପଥରେ ଛାଡିଥିଲେ । ଏହି ଅବସରରେ ସେ କହିଥିଲେ, କୌଣସି ଖେଳାଳିଙ୍କ ଜୀବନରେ ଏ ଭଳି ଦିନ ଆସିବା ଉଚିତ ନୁହେଁ । ବର୍ତମାନ ଦେଶରେ ମହିଳା ରେସଲରମାନେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି । ତାଙ୍କ ପୂର୍ବରୁ ବଜରଙ୍ଗ ପୁନିଆ ମଧ୍ୟ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି । ସୂଚନାଯୋଗ୍ୟ ପୂର୍ବତନ ରେସଲିଂ ଫେଡେରେଶନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ବିନେଶଙ୍କ ସମେତ ଅନ୍ୟ ପ୍ରତିଷ୍ଠିତ ରେସଲର ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।
ଏ ନେଇ ସେମାନେ ଜନ୍ତରମନ୍ତରରେ ଧାରଣା ମଧ୍ୟ ଦେଇଥିଲେ । ପରେ ପୋଲିସ ଏହି ଘଟଣାର ତଦନ୍ତ କରିଥିଲା । ବ୍ରିଜଭୂଷଣଙ୍କୁ ଅଧ୍ୟକ୍ଷ ପଦରୁ ହଟାଯିବା ପରେ ପୂନର୍ବାର ନିର୍ବାଚନ କରାଯାଇଥିଲା । ଏଥିରେ ମଧ୍ୟ ତାଙ୍କ ନିକଟତମ ବ୍ୟକ୍ତି ଅଧ୍ୟକ୍ଷ ପଦ ହାସଲ କରିବାରୁ ରେସଲରମାନେ ଏହାକୁ ବିରୋଧ କରିଥିଲେ ।
Comments are closed.