Latest Odisha News

ଓଡିଶାରେ ସଫଳତାର ସହ ଅନୁଷ୍ଠିତ ହେଲା ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ନୂତନ ଭାବେ ନିର୍ମାଣ ହୋଇଥିବା ଜିମ୍ନାଷ୍ଟିକ୍ସ ସେଂଟରରେ ଜାତୀୟ ଜୁନିୟର ଆର୍ଟିଷ୍ଟିକ ଚାମ୍ପିୟନଶିପ ସଫଳତାର ସହ ଶେଷ ହୋଇଛି । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଯୋଗୀ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ଓଡିଶା କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଜଂଏଟ ସେକ୍ରେଟାରୀ ଶୈଲେନ୍ଦ୍ର ଜେନା ଉଦଯାପନୀ ଦିବସରେ ବିଜେତା ଜିମ୍ନାଷ୍ଟମାନଙ୍କୁ ପଦକ ପ୍ରଦାନ କରିଥିଲେ । ତେଲେଙ୍ଗାନାର ନିଶିକା ଅଗ୍ରୱାଲ ମହିଳା ବିଭାଗରେ ସର୍ବାଧିକ ୫ଟି ପଦକ ଜିତିଥିଲେ । ସେ ଭଲ୍ଟରେ ସ୍ୱର୍ଣ୍ଣ, ଅନଇଭେନ ବାରରେ ସ୍ୱର୍ଣ୍ଣ, ବାଲାନ୍ସ ବିମରେ ବ୍ରୋଞ୍ଜ, ଫ୍ଲୋର ଏକ୍ସରସାଇଜରେ ରୌପ୍ୟ ଓ ଅଲରାଉଣ୍ଡରେ ସ୍ୱର୍ଣ୍ଣ ଜିତିଥିଲେ । ଏଠାରେ ଆମେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉ ନାହିଁ, ଆୟୋଜକଙ୍କ ପକ୍ଷରୁ ସମସ୍ତ ପ୍ରକାରର ସୁବନ୍ଦୋବସ୍ତ କରାଯାଇଥିଲା ବୋଲି ସେ କହିଛନ୍ତି ।

ଓଡିଶାର ବିରୁ ଚନ୍ଦ୍ର ରାଓ ଫ୍ଲୋର ଏକ୍ସରସାଇଜରେ ବ୍ରୋଞ୍ଜ ଓ ଆଲୋକ କୁମାର ଅଲରାଉଣ୍ଡ ବିଭାଗରେ ବ୍ରୋଞ୍ଜ ପଦକ ଜିତିଥିଲେ । ଓଡିଶା ଏଚପିସିରେ ପ୍ରଶିକ୍ଷଣ ନେଉଥିବା ତାମିଲନାଡୁର ଓସିଏନା ରାନୀ ଥୋମାସ ବାଲାନ୍ସ ବିମରେ ସ୍ୱର୍ଣ୍ଣ ଓ ଫ୍ଲୋର ଏକ୍ସରସାଇଜରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଆସନ୍ତା ବର୍ଷ ଜାନୁୟାରୁ ୨ରୁ ୪ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ସିନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଜାତୀୟ ଚାମ୍ପିୟନଶିପ ଆୟୋଜିତ ହେବ ।

Comments are closed.