Latest Odisha News

ହୋସରେ ଥିବା ବେଳେ ୫ବର୍ଷୀୟ ଶିଶୁକନ୍ୟାର ବ୍ରେନ ଟ୍ୟୁମର୍ ସର୍ଜରୀ କଲେ AIIMS ଡାକ୍ତରୀ ଟିମ୍

ନୂଆଦିଲ୍ଲୀ: ଚିକିତ୍ସା କ୍ଷେତ୍ରରେ AIIMSକୁ ମିଳିଲା ଆଉ ଏକ ସଫଳତା । ବେହୋସ ନକରି ୫ବର୍ଷୀୟ ଶିଶୁ କନ୍ୟାର ବ୍ରେନ ଟ୍ୟୁମର ସର୍ଜରୀ କଲେ ଡାକ୍ତର । ଏନେଇ AIIMS ଦାବି କରିଛି ଯେ ଏହି ଶିଶୁ ବିଶ୍ୱର ସର୍ବ କନିଷ୍ଠ ଯାହାକୁ ବେହୋସ ନକରି ଅସ୍ତ୍ରୋପଚାର କରାଯାଇଛି । ଅକ୍ଷିତା ନାମକ ଶିଶୁର ବ୍ରେନ ଟ୍ୟୁମର ହୋଇଥିବା ବେଳେ ଡାକ୍ତର ସଫଳ ଅସ୍ତ୍ରୋପଚାର କରିଛନ୍ତି । ଶିଶୁ କନ୍ୟା ସଂପୂର୍ଣ୍ଣ ସୁସ୍ଥ ଥିବା ବେଳେ ଆସନ୍ତାକାଲି ତାକୁ ଡିସଚାର୍ଜ କରାଯିବ ।

AIIMS ପକ୍ଷରୁ କୁହାଯାଇଛି, ଜାନୁଆରୀ ୪ତାରିଖରେ ଲେଫ୍ଟ ପେରିସିଲଭିଆନ୍ ଇଣ୍ଟ୍ରାକ୍ସିଆଲ୍ ବ୍ରେନ ଟ୍ୟୁମର ପାଇଁ ଆୱେକ କ୍ରାନିଓଟୋମି ଅସ୍ତ୍ରୋପଚାର କରାଯାଇଥିଲା । ଏହି ଅସ୍ତ୍ରୋପଚାର ତିନି ଘଣ୍ଟା ଧରି ଚାଲିଥିଲା । ଡାକ୍ତର ମିହିର ପାଣ୍ଡିଆ ଏବଂ ଡାକ୍ତର ଜ୍ଞାନେନ୍ଦ୍ର ପାଲ ସିଂଙ୍କ ନେତୃତ୍ୱ ଅପରେସନ କରାଯାଇଥିଲା ।

ଅପରେସନ ସମୟରେ ଝିଅଟି ସହଯୋଗ ମଧ୍ୟ କରିଥିଲା । ପୁରା ଅସ୍ତ୍ରୋପଚାର ସମୟରେ ଝିଅଟି ହସୁଥିଲା ।ଡାକ୍ତରୀ ଟିମ୍ ମଧ୍ୟ ତାଙ୍କ ସହ କଥାବାର୍ତ୍ତା ଜାରି ରଖିଥିଲେ। ଝିଅଟି ଅସ୍ତ୍ରୋପଚାର ସମୟରେ ବିଭିନ୍ନ ପ୍ରକାର କାମ ମଧ୍ୟ କରୁଥିଲା । ଅସ୍ତ୍ରୋପଚାର ପୂର୍ବରୁ ସାଧାରଣ ବସ୍ତୁ, ପ୍ରାଣୀ ଦେଖାଯାଇଥିଲା ଏଥିସହ ଭାଷା ଏବଂ ମୂଲ୍ୟାଙ୍କନ ପାଇଁ କିଛି କାର୍ଯ୍ୟ ଦିଆଯାଇଥିଲା, ଯାହା ଅପରେସନ ପଦ୍ଧତି ସମୟରେ ପୁନରାବୃତ୍ତି କରାଯାଇଥିଲା । ଅସ୍ତ୍ରୋପଚାର ସମୟରେ ଝିଅଟି ତୁରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ମଧ୍ୟ ଚିହ୍ନିଥିଲା। ଫୋନରେ ଫଟୋ ଏବଂ ଭିଡିଓ ମଧ୍ୟ ଦେଖାଯାଉଥିଲା।

ନ୍ୟୁରୋ ସର୍ଜରୀ ପ୍ରଫେସର ଡାକ୍ତର ଦୀପକ ଗୁପ୍ତା କହିଛନ୍ତି, ‘ବ୍ରେନ ଟ୍ୟୁମର ପାଇଁ ଆୱେକ ସର୍ଜରୀ ସାଧାରଣତଃ ଟ୍ୟୁମରକୁ ବାହାର କରିବା ଏବଂ ସ୍ନାୟୁଗତ କ୍ଷତି ହ୍ରାସ କରିବା ପାଇଁ କରାଯାଏ। ଆୱେକ କ୍ରାନିଓଟୋମି ସମୟରେ ରୋଗୀମାନେ ଖୁବକମ ଯନ୍ତ୍ରଣା ଅନୁଭବ କରନ୍ତି।’

Comments are closed.