ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଅଭ୍ୟାସାକ୍ରାଂତ ହେଲେ ବ୍ୟକ୍ତି
ନ ଛାଡ଼ି ଅତୀତ ଆସକ୍ତି
କରଂତି ସାମୂହିକ କ୍ଷତି
ଏମିତି ତାଂକ ନୀତି, ରୀତି
ବାଲ୍ୟକାଳରେ ଯେଉଁ ଜ୍ଞାନ
କରିଲେ କ୍ରମଶଃ ଅର୍ଜନ
ତାହାକୁ ଦିଅଂତି ସମ୍ମାନ
ନୂତନତା ପାଏନି ଧ୍ୟାନ
ପରିବର୍ତନ ପ୍ରତି ଭୀତି
ଯିଏ ବି ପୋଷଣ କରଂତି
ବୃତ୍ତ ପଥରେ ଘୂରି ଘୂରି
ଜୀବନ ଦେଇଥାଂତି ସାରି
ଗୋଟିଏ କଥା ବାରଂବାର
କହିବା ଅଭ୍ୟାସ ତାଂକର
କାଳଖଂଡରେ ହୋଇ ବଂଦୀ
ମନକୁ ଦେଇଥାଂତି ବାଂଧି
କଷ୍ଟିଆ ଶବ୍ଦ ଖୋଜି ଖୋଜି
ନିଜ ଲେଖାରେ ଦେଲେ ଖଂଜି
ପଢ଼ିବା ପାଇଁ କେହି ରାଜି
ହେଲେ ବି ପାରଂତିନି ବୁଝି
ଭାଷା ନ ହେଲେ ଲୋକାଦୃତ
କି ହେବ ତହିଁର ସାହିତ୍ୟ ?
ଏ ପ୍ରଶ୍ନ ଯଦି ଅବାଂତର
ମୋତେ ଏବେ ହିଁ କ୍ଷମା କର
କହି କହି ଗଲେ ବି ଥକି
କେ କେବେ ଜାଗ୍ରତ ହୁଏ କି ?
ବ୍ୟକ୍ତି ହେଲେ ବି ଜଣାଶୁଣା
ଭାଷାଟେ ହୁଏ ବାଟବଣା
ଅତୀତ ଆସେ ଯଦି ଫେରି
ତାହାକୁ ଆଦରେ ସ୍ବୀକାରି
ସତରେ ହେବନାହିଁ ଚଳି
ଏ କଥା ନେଇ କିଆଁ କଳି ?
ପ୍ରକୃତି ଯାଉଛି ବଦଳି
ନୂଆ ଦ୍ରବ୍ୟାଦି କେତେ ଭଳି
ସହଜେ ଯାଉଅଛି ମିଳି
ପୁରୁଣା ପଡ଼ିଲାଣି ଟଳି
ନୂତନତାର ପ୍ରତିରୋଧ
ଯେହେତୁ ନୁହେ ନିରାପଦ
ଏ ସତ୍ୟ ହୋଇଲେ ହୃଦ୍ବୋଧ
ମିଳିବ ସୁଖ ଓ ସଂପଦ
ମଣିଷ ଅଟେ କାଳାଧୀନ
ତେବେ ବି ଯେବେ ତା’ର ମନ
ହୁଅଇ ଅତୀତ-ଆଚ୍ଛନ୍ନ
ନିଜକୁ ନିଜେ କରେ ମ୍ଳାନ
ବର୍ତମାନକୁ ପ୍ରତ୍ୟାଖ୍ୟାନ
ନୁହଇ ଯେଣୁ ସମୀଚୀନ
କରିଲେ ଆନଂଦେ ସ୍ବୀକାର
ବିକାଶ ହୁଏ ଦ୍ରୁତତର
ନାମ ଓ ରୂପର ପ୍ରଚାର
ଭାଷାକୁ କରେନି ଉଦ୍ଧାର
ଏହା ହୃଦୟଗଂମ କରି
ହେବା କି ଏବେ ହିତକାରୀ ?
Comments are closed.