କିଏ ପ୍ରଥମ ମହିଳା ମାହୁନ୍ତ ତ କିଏ ପାହାଡିଆ ଜମିରେ ଲଗାଇଛନ୍ତି ୫୦୦୦ ଗଛ, ଜାଣନ୍ତୁ ପଦ୍ମ ବିଜେତା ସେହି ହୀରା ମାନଙ୍କ କାହାଣୀ
ଭୁବନେଶ୍ଵର: ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାରତାଲିକା । ବିଭିନ୍ନ ବର୍ଗରେ ଭଲ କାମ କରିଥିବା ବ୍ୟକ୍ତିଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବିଜେତା ମାନଙ୍କ ତାଲିକାରେ କିଛି ଏପରି ଲୋକଙ୍କ ନାମ ଅଛି, ଯେଉଁମାନେ ପଙ୍କରେ ପଦ୍ମ ପରି ତାଙ୍କ ଉଚ୍ଚତର କାମ ପାଇଁ ଏହି ସମ୍ମାନ ହାସିଲ କରିଛନ୍ତି । ନିଜ କର୍ମକୁ ଭଗବାନ ଭାବି ଅତି ନିଷ୍ଠାର ସହ ସବୁ ବାଧାବିଘ୍ନକୁ ପାର କରି ସେ ଏହି ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । ସେମାନଙ୍କ ନାଁ ହୁଏତ ଆପଣ କେଉଁଠାରେ ବି ଶୁଣି ନଥିବେ । କିନ୍ତୁ ତାଙ୍କର ଅତୁଳନୀୟ ସେବା ପାଇଁ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ଆସନ୍ତୁ ଜାଣିବା ସେପରି କିଛି ବ୍ୟକ୍ତିବିଶେଷଙ୍କ ବିଷୟରେ…
- ପାର୍ବତୀ ବରୁଆ
ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛି ପାର୍ବତୀ ବାରୁଆଙ୍କ ନାଁ । ଯାହାଙ୍କୁ ଲୋକେ ‘କୁଇନ୍ ଅଫ୍ ଏଲିଫ୍ୟାଣ୍ଟ’ ନାମରେ ଜାଣିଥାନ୍ତି । ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ମାହୁନ୍ତ | ମାତ୍ର ୧୪ ବର୍ଷ ବୟସରୁ ହିଁ ସେ ହାତୀ ମାନଙ୍କୁ ନିଜ ଆୟତ୍ତରେ ରଖିବା କାମ କରୁଥିଲେ । କେବଳ ଏତିକି ନୁହେଁ, ସେ ଜଙ୍ଗଲୀ ହାତୀଙ୍କ ସହ ମୁହାଁମୁହିଁ ହୋଇ ତାଙ୍କୁ ଧରିବାରେ ତିନୋଟି ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିଛନ୍ତି। ସାମାଜିକ କାର୍ଯ୍ୟ (ପଶୁ କଲ୍ୟାଣ) ପାଇଁ ସରକାର ତାଙ୍କୁ ଏହି ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ।
- ଯୋଗେଶ୍ୱର ଯାଦବ
ଆଦିବାସୀ କଲ୍ୟାଣ କର୍ମୀ ଯୋଗେଶ୍ୱର ଯାଦବଙ୍କ ନାଁ ମଧ୍ୟ ଏହି ପଦ୍ମ ପୁରସ୍କାର ତାଲିକାରେ ରହିଛି । ଅନେକ ଆର୍ଥିକ ଅସୁବିଧା ସତ୍ତ୍ଵେ ମଧ୍ୟ ଯୋଗେଶ୍ୱର ଯାଦବ ନିଜ ଜୀବନକୁ ଆଦିବାସୀ ପ୍ରାଧାନ୍ୟ ଛତିଶଗଡରେ ରହୁଥିବା ବିରହୋର ଏବଂ ପାହାଡି କୋରୱା ଲୋକଙ୍କ ଉନ୍ନତି ପାଇଁ ପୁରାପୁରି ଉତ୍ସର୍ଗ କରିଦେଇଥିଲେ। ସେ ଯଶପୁରରେ ଏକ ଆଶ୍ରମ ସ୍ଥାପନ କରିଛନ୍ତି ଯେଉଁଠାରେ ସେ ଏହି ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ନିରକ୍ଷରତାକୁ ଦୂର କରିବା ଏବଂ ଆଦିବାସୀମାନଙ୍କ ସ୍ୱାସ୍ଥ୍ୟସେବା ମାନ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛନ୍ତି।
- ଚାମି ମୁର୍ମୁ
ଝାଡଖଣ୍ଡର ଚାମି ମୁର୍ମୁ ‘ସରାଇକେଲାଙ୍କ ସହଯୋଗୀ’ ଭାବରେ ମଧ୍ୟ ଜଣାଶୁଣା | ସେରାଇକେଲା ଖାରସାବନ ଜିଲ୍ଲାରେ ବୃକ୍ଷରୋପଣ ଉଦ୍ୟମକୁ ଆଗେଇ ନେବା ଏବଂ ଏଯାବତ୍ ୩୦ ଲକ୍ଷରୁ ଅଧିକ ଗଛ ଲଗାଇବା ପାଇଁ ତାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଚାମି ୪୦ ଟି ଗାଁରେ ୩୦,୦୦୦ରୁ ଅଧିକ ମହିଳାଙ୍କୁ ନେଇ ସ୍ଵୟଂ ସହାୟକ ଗୋଷ୍ଠୀ (SHG) ଗଠନ କରି ସେହି ମଧ୍ୟମରେ ରୋଜଗାରକ୍ଷମ କରାଇଛନ୍ତି । ରକ୍ତହୀନତା ଏବଂ ପୁଷ୍ଟିହୀନତାର ମୁକାବିଲା ପାଇଁ ୫୨ ବର୍ଷୀୟ ମୁର୍ମୁ ମଧ୍ୟ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ। ସେ ବେଆଇନ ଭାବେ ଜଙ୍ଗଲ କାଟିବା, କାଠ ମାଫିଆ ଏବଂ ନକ୍ସଲଙ୍କ କାର୍ଯ୍ୟକଳାପ ବିରୋଧରେ ମଧ୍ୟ ଲଢୁଛନ୍ତି ।
- ଗୁରୁବିନ୍ଦର ସିଂ
ଟ୍ରକକୁ ଧକ୍କା ପରଠାରୁ ପକ୍ଷାଘାତ ରୋଗରେ ପୀଡିତ ଗୁରୁବିନ୍ଦର ସିଂଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ତାଙ୍କୁ ପକ୍ଷାଘାତ ସତ୍ଵେ ମଧ୍ୟ ସେ ଭଲ କାମରେ ନିଜ ଜୀବନକୁ ଅତିବାହିତ କରିଚାଲିଛନ୍ତି । ହରିୟାଣା ବାସିନ୍ଦା ଗୁରୁବିନ୍ଦର ସିଂ ଭୂମିହୀନ, ଦରିଦ୍ର, ମହିଳା ଏବଂ ଅନାଥଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରନ୍ତି। “ଦିବ୍ୟାଙ୍ଗଜନ ଙ୍କ ଆଶା” ନାମରେ ନାମିତ ଗୁରୁବିନ୍ଦର ୩୦୦ ପିଲାଙ୍କ ପାଇଁ ଏକ ଶିଶୁ ଯତ୍ନ ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିଲେ ଏବଂ ୬,୦୦୦ରୁ ଅଧିକ ଦୁର୍ଘଟଣାର ଶିକାର ତଥା ଗର୍ଭବତୀ ମହିଳାଙ୍କୁ ମାଗଣା ଆମ୍ବୁଲାନ୍ସ ସେବା ମଧ୍ୟ ପ୍ରଦାନ କରିଥିଲେ।
- ଦୁଖୁ ମାଝି
ଦୁଖୁ ମାଝି “ଗାଛ୍ ଦାଦୁ” ଭାବରେ ମଧ୍ୟ ଜଣାଶୁଣା |ବଙ୍ଗାଳିରେ ‘ଗାଚ୍ଛ’ର ଅର୍ଥ ଗଛ | ୭୫ ବର୍ଷିୟ ଦୁଖୁ ମାଝି ବଙ୍ଗଳାର ପୁରୁଲିଆରେ ପାହାଡିଆ ଜମିରେ ୫୦୦୦ରୁ ଅଧିକ ବର ଗଛ, ଆମ୍ବ ଏବଂ ଜାମୁକୋଳି ଗଛ ଲଗାଇଛନ୍ତି । ପ୍ରତିଦିନ ସେ ସାଇକେଲରେ ଯାଇ କୌଣସି ନା କୌଣସି ଯାଗାରେ ଗଛ ଲଗାନ୍ତି ।
- ଶାନ୍ତି ଦେବୀ ପାସୱାନ୍ ଏବଂ ଶିବନ୍ ପାସୱାନ୍
ସାମାଜିକ ଅସମାନତାକୁ ଅତିକ୍ରମ କରି ବିଶ୍ୱସ୍ତରରେ ମଧୁବନୀ ଚିତ୍ରକଳାରେ ପ୍ରମୁଖ ଚେହେରା ପାଲଟିଥିବା ଟାଟୁ ଚିତ୍ରଶିଳ୍ପୀଙ୍କ ଯୋଡ଼ି| ଏହି ଦମ୍ପତି ଟାଟୁ ଚିତ୍ର କରିବାର କଳାକୁ ବିଶ୍ୱରେ ପରିଚିତ କରାଇଛନ୍ତି । ଆମେରିକା, ଜାପାନ, ହଂକଂ ସମେତ ଅନେକ ଦେଶରେ ତାଙ୍କର ଚିତ୍ରଗୁଡ଼ିକୁ ପ୍ରଶଂସା କରାଯାଇଛି | ଏହି କଳାକୁ ବଞ୍ଚାଇବା ପାଇଁ ଶାନ୍ତି ବର୍ତ୍ତମାନ ୨୦ ହଜାର ମହିଳାଙ୍କୁ ତାଲିମ ଦେଇଛନ୍ତ । ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଦୁହେଁ ଏହି କାମ କରିବା ଆରମ୍ଭ କଲେ |
Comments are closed.