ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୋଟିଏ ପରେ ଗୋଟିଏ ବିବାଦ ସମ୍ମୁଖକୁ ଆସୁଛି । ରାଜସ୍ଥାନ ରୟାଲ୍ସର ମ୍ୟାନେଜର ଡଗଆଉଟରେ ଫୋନ ବ୍ୟବହାର କରିବା ଏବଂ ରିୟାନ ପରାଗ ୱେପିଙ୍ଗ କରିବା ପ୍ରଶଂସକଙ୍କୁ ନିରାଶ କରିଛି । ଏବେ ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ ଅନ୍ୟ ଏକ ଘଟଣା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଇପିଏଲର କେତେକ ଟିମର ଖେଳାଳିଙ୍କ ସହ ଅଜଣା ବ୍ୟକ୍ତି ଯିବା ଖବର ସମ୍ମୁଖକୁ ଆସିଛି । ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସାଇକିଆ କହିଛନ୍ତି । ସେମାନେ ଟିମର ବସ ଓ ହୋଟେଲକୁ ମଧ୍ୟ ଯାଉଛନ୍ତି ।
ବିସିସିଆଇ ଗାଇଡଲାଇନ ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାଇକିଆ ସ୍ପଷ୍ଟ ଭାବେ କହିଛନ୍ତି । ଆଇପିଏଲରେ ଟିମ ବସରେ ଖେଳାଳିମାନେ ଏକତ୍ର ଯିବା ବାଧ୍ୟତାମୂଳକ କରାଯାଇଛି । ସେମାନେ ବ୍ୟକ୍ତିଗତ ଗାଡିରେ ମଧ୍ୟ ଯାଇପାରିବେ ନାହିଁ । ଏପରିକି ଖେଳାଳିଙ୍କ ପରିବାର ଲୋକ ହୋଟେଲରେ ରହିପାରିବେ ନାହିଁ ବୋଲି ସ୍ଥିର ହୋଇଛି । ଡ୍ରେସିଂ ରୁମ ଓ ପ୍ଲେୟାର ଏରିଆରେ ପରିବାର ଓ ବନ୍ଧୁଙ୍କୁ ମଧ୍ୟ ଯିବାପାଇଁ ଅନୁମତି ନାହିଁ ।