ଭୁବନେଶ୍ୱର:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାବର ସମ୍ପତ୍ତିର ସୁରକ୍ଷା ଓ ସଦୁପଯୋଗ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ସମସ୍ତ ଜମିକୁ ସରକାର ନିଜ ଅଧୀନକୁ ଆଣିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ‘ୟୁନିଫର୍ମ ସେଟଲମେଣ୍ଟ ପଲିସିରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଆଇନ କମିଶନ ଅଧ୍ୟକ୍ଷ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଦୀର୍ଘ ଦିନ ଧରି ମହାପ୍ରଭୁଙ୍କ ଜମିକୁ ଦଖଲ କରି ରହିଥିବା ଲୋକମାନଙ୍କୁ ସେଟଲମେଣ୍ଟ ପ୍ରକ୍ରିୟା ମାଧ୍ୟମରେ ଜମି ପ୍ରଦାନ କରାଯିବ। ଏହାଦ୍ୱାରା ସାଧାରଣ ଲୋକେ ଅଯଥା ଅସୁବିଧାରୁ ମୁକ୍ତି ପାଇବେ।
ଜମି ସେଟଲମେଣ୍ଟ ବାବଦରେ ମିଳିବାକୁ ଥିବା ଅର୍ଥରେ ମହାପ୍ରଭୁଙ୍କ ପାଇଁ ଏକ ସ୍ୱତନ୍ତ୍ର ‘କର୍ପସ ଫଣ୍ଡ’ ଗଠନ କରାଯିବ, ଯାହା ଶ୍ରୀମନ୍ଦିରର ବିକାଶ ଓ ରୀତିନୀତିରେ ସହାୟକ ହେବ।
ମହାପ୍ରଭୁଙ୍କ ନାମରେ ପ୍ରାୟ ୩୬ ହଜାର ଏକର ଜମି ଥିବା ବେଳେ ସେଥିରୁ ପ୍ରାୟ ୨୫ରୁ ୩୦ ପ୍ରତିଶତ ଜମି ଲୋକଙ୍କ ଦଖଲରେ ରହିଛି। ଏହି ସମସ୍ୟାର ସମାଧାନ ପାଇଁ ସରକାର ନୂଆ ନୀତି ପ୍ରଣୟନ କରିବେ।
ଆଇନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏହି ପ୍ରସ୍ତାବକୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ। କ୍ୟାବିନେଟ୍ ମୋହର ବାଜିବା ପରେ ଏହି ସେଟଲମେଣ୍ଟ ପ୍ରକ୍ରିୟା ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା ମହାପ୍ରଭୁଙ୍କ ସମ୍ପତ୍ତି ସୁରକ୍ଷିତ ହେବା ସହ ହଜାର ହଜାର ପରିବାର ଉପକୃତ ହେବେ ବୋଲି ଆଶା କରାଯାଉଛି।