Latest Odisha News

ବିମାନ ବନ୍ଦରରେ ପଡିରହିଛି ସହିଦଙ୍କ ମରଶରୀର, ଧାରଣାରେ ପରିବାର ଲୋକ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛି ବୀର ସହିଦ ଯବାନ ପ୍ରବୀର ନାୟକଙ୍କ ମର ଶରୀର । ଓଡ଼ିଶାର ଏହି ବୀରପୁତ୍ରଙ୍କ ମର ଶରୀରକୁ ସମ୍ମାନ ଜଣାଇବା ପାଇଁ ବିମାନବନ୍ଦରରେ କୌଣସି ନେତା କି ମନ୍ତ୍ରୀ ଉପସ୍ଥିତ ନଥିବା ବେଳେ ମର୍ଯ୍ୟାଦାର ସହ ବୀରଙ୍କ ମର ଶରୀରକୁ ନେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା ମଧ୍ୟ କରାଯାଇନଥିଲା । ଯାହାର ପ୍ରତିବାଦ କରିଥିଲେ ପରିବାର ଲୋକ । ଦୀର୍ଘ ୪ ଘଣ୍ଟା ହେବ ବୀରଙ୍କ ଶରୀର ବିମାନ ବନ୍ଦରରେ ପଡି ରହିଥିବା ବେଳେ ସହିଦ ପ୍ରବୀର ନାୟକଙ୍କ ପାଇଁ ‘ଗାର୍ଡ ଅଫ ଅନର’ ସହ ସ୍ୱତନ୍ତ୍ର ଗାଡି ଦାବି କରି ଧାରଣାରେ ବସିଛନ୍ତି ପରିବାର ଲୋକ ।

ସୂଚନାଯୋଗ୍ୟ, ଯାଜପୁର କଚେରୀ ଗାଁର ଦିବାକର ନାୟକଙ୍କର ୪ର୍ଥ ପୁଅ ପ୍ରବୀର ନାୟକ । ଆସାମ ରାଇଫଲର ଅଷ୍ଟମ ବାଟାଲିୟନରେ ଗନମ୍ୟାନ ଭାବେ କାର୍ଯ୍ୟ କରୁଥିଲେ ।

ପ୍ରବୀର ମିଜୋରାମର ସରଚିପ୍ ଜିଲ୍ଲାରେ ଚୀନ୍ ସୀମାରେ ପ୍ରହରା ଦେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଅତ୍ୟଧିକ ଥଣ୍ଡା ହେତୁ ତାଙ୍କ ହାର୍ଟ କାମ କରିବା ବନ୍ଦ କରିଦେଇଥିଲା । ଫଳରେ କାର୍ଯ୍ୟରତ ଅବସ୍ଥାରେ ଗତ ରବିବାର ଦିନ ତାଙ୍କର ଦେହାନ୍ତ ହୋଇଥିଲା ।

ତାଙ୍କ ପରିବାରରେ ୩ ଭାଇ ଥିବାବେଳେ ସମସ୍ତେ ଦେଶ ସେବାରେ କାର୍ଯ୍ୟରତ । ପ୍ରବୀରଙ୍କ ପତ୍ନୀ ଦୀପ୍ତିକା ନାୟକ ଓ ତାଙ୍କର ଦୁଇଟି କୁନି ଝିଅ ରହିଛନ୍ତି । ମରଶରୀର ପହଞ୍ଚିବା ପରେ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି ।

Comments are closed.