Latest Odisha News

ଆସନ୍ତାକାଲି ସୋନପୁର ଅଭିମୁଖେ ପ୍ରଥମ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଷ୍ଟପେଜ

ଭୁବନେଶ୍ୱର: ଆସନ୍ତାକାଲି (ଫେବୃଆରୀ ୩)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସି ନୂଆ ଟ୍ରେନ୍ ସେବା, ଷ୍ଟେସନ ପୁନଃନିର୍ମାଣ ଯୋଜନା ଓ ଦୁଇଟି ରେଳ ଲାଇନ ସମେତ ଅନେକ ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ସୋନପୁର ଜିଲ୍ଲାକୁ ପବିତ୍ର ସହର ପୁରୀ ସହିତ ସଂଯୋଗ କରୁଥିବା ପ୍ରଥମ ଟ୍ରେନ୍ ହେବ। ଏହି ଟ୍ରେନ୍ ପଶ୍ଚିମ ଓଡ଼ିଶାର ଅନ୍ୟ ୪ଟି ଜିଲ୍ଲା- ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ଖୋର୍ଦ୍ଧାକୁ ସଂଯୋଗ କରିବ ଏବଂ ଏହି ଅଞ୍ଚଳର ଛାତ୍ରଛାତ୍ରୀ, କୃଷକ, ତୀର୍ଥଯାତ୍ରୀ ଏବଂ ବ୍ୟବସାୟୀଙ୍କ ଆବଶ୍ୟକତାକୁ ପୂରଣ କରିବ।

ଏହି ସାପ୍ତାହିକ ଟ୍ରେନ୍ ଫେବ୍ରୁଆରି ୮ତାରିଖରୁ ନିୟମିତ ସେବା ଆରମ୍ଭ କରି ଗୁରୁବାର ଓ ଶୁକ୍ରବାର ଚଳାଚଳ କରିବ। ଏହା ଗୁରୁବାର ସନ୍ଧ୍ୟା ୭ଟା ୨୫ରେ ପୁରୀରୁ ବାହାରି ଶୁକ୍ରବାର ସକାଳ ସାଢ଼େ ୫ଟାରେ ସୋନପୁରରେ ପହଞ୍ଚିବ। ପ୍ରତ୍ୟାବର୍ତ୍ତନ ଦିଗରେ ଏହା ଶୁକ୍ରବାର ସନ୍ଧ୍ୟା ୭ଟା ୩୦ରେ ସୋନପୁରରୁ ବାହାରି ଶନିବାର ସକାଳ ୬ଟା ୫୫ରେ ପୁରୀରେ ପହଞ୍ଚିବ। ଏହି ଟ୍ରେନ୍ ପୁରୀ-ସୋନପୁର ମଧ୍ୟରେ ୧୪ଟି ଷ୍ଟେସନରେ ଅଟକିବ।

ପ୍ରଧାନମନ୍ତ୍ରୀ ସମ୍ବଲପୁର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଶିଳାନ୍ୟାସ କରିବେ, ଯାହା ସହରର ଏକ ଐତିହାସିକ ସ୍ମାରକୀ ଶୈଳଶ୍ରୀ ପ୍ୟାଲେସରେ ମଡେଲ କରାଯିବ । ୩୪୮ କୋଟି ଟଙ୍କାର ପ୍ରକଳ୍ପ ଅଧୀନରେ ଏହି ଷ୍ଟେସନକୁ ଏକ ବିଶ୍ୱସ୍ତରୀୟ ସୁବିଧାରେ ପରିଣତ କରାଯିବ ଏବଂ ଏଥିରେ ୨୦ଟି ଲିଫ୍ଟ, ୨୧ଟି ଏସ୍କେଲେଟର, ଫୁଡ୍ କୋର୍ଟ, ରିଟେଲ ଆଉଟଲେଟ୍, ଏଟିଏମ୍, ସ୍ଥାନୀୟ ଉତ୍ପାଦ ଷ୍ଟଲ, ପିଲାଙ୍କ ପାଇଁ ପ୍ଲେ ଜୋନ୍, ଫାର୍ମାସି ଏବଂ ଅନ୍ୟାନ୍ୟ ସୁବିଧା ରହିବ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ଲାଇନ (୧୬୮ କିଲୋମିଟର) ଏବଂ ଝାରତଭା-ସୋନପୁର ନୂଆ ରେଳ ଲାଇନ (୨୧.୭ କିଲୋମିଟର)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଯାହା ଏହି ଅଞ୍ଚଳରେ ରେଳ ନେଟୱାର୍କ କ୍ଷମତା ଏବଂ ଯୋଗାଯୋଗ ବୃଦ୍ଧି କରିବ । ଓଡ଼ିଶାର ଭିତ୍ତିଭୂମି ଓ ବିକାଶ କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ର ପ୍ରୟାସର ଏକ ଅଂଶ ହେଉଛି ଏହି ପ୍ରକଳ୍ପଗୁଡିକ ।

Comments are closed.