Latest Odisha News

ବଜେଟ୍ ଅଧିବେଶନ ପାଇଁ ବିଧାନସଭା ଚାରିପଟେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ସୋମବାରଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ବିଧାନସଭାକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇଛି। ରବିବାର ଭାରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ଶ୍ରୀ ଷଡ଼ଙ୍ଗୀଙ୍କ କହିବାନୁଯାୟୀ, ଏହି ସୁରକ୍ଷା ନେଟୱର୍କ କେବଳ ବିଧାନସଭା ଭବନ ନୁହେଁ, ଏହାର ଆଖପାଖ ଅଞ୍ଚଳକୁ ମଧ୍ୟ ବ୍ୟାପିବ। ଫେବ୍ରୁଆରି ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସୁରକ୍ଷା ଦୃଷ୍ଟିରୁ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି), ଷ୍ଟ୍ରାଇକିଂ ଫୋର୍ସ, କ୍ୱିକ୍ ଆକ୍ସନ ଟିମ୍ (କ୍ୟୁଏଟି), ବୋମା ନିଷ୍କ୍ରିୟକାରୀ ୟୁନିଟ୍, ଡଗ୍ ସ୍କ୍ୱାଡ୍ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସହ ୨୮ ପ୍ଲାଟୁନ୍ ପୁଲିସ ମୁତୟନ ହେବେ।

ଲୋକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଠାରୁ ବିଧାନସଭାକୁ ଯାଉଥିବା ରାସ୍ତା ଓ ଅନ୍ୟାନ୍ୟ ସଂଯୋଗୀକରଣ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଯାଇଛି ।

ଅଧିବେଶନ ସମୟରେ ଆନ୍ଦୋଳନ, ରାଲି କିମ୍ବା ବିକ୍ଷୋଭ ଜନିତ କୌଣସି ପରିସ୍ଥିତିର ମୁକାବିଲା ପାଇଁ ବିଧାନସଭା ଗେଟ୍, ଲୋୟର ପିଏମ୍ଜି ଓ ରବୀନ୍ଦ୍ର ମଣ୍ଡପ ଗେଟ୍ ଭଳି ବିଭିନ୍ନ ସ୍ଥାନରେ ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

ବିଧାନସଭାର ଦୁଇଟି ଗେଟରେ ଚେକ୍ ପୋଷ୍ଟ ନିର୍ମାଣ କରାଯାଇଥିବା ବେଳେ କୋଠାର ଛାତ ଉପରେ ପୁଲିସ ମୁତୟନ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସଶସ୍ତ୍ର ପୁଲିସ ପରିସରରେ ୨୪ ଘଣ୍ଟିଆ ନଜର ରଖିବ ବୋଲି ସେ କହିଛନ୍ତି। ସମଗ୍ର ବଜେଟ୍ ଅଧିବେଶନ ସମୟରେ ବିଧାନସଭାକୁ ୫ଟି ଯାକ ରୁଟରେ ଯାନବାହନ ଚଳାଚଳ କୁ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ତାଙ୍କୁ ୮ ଜଣ ଅତିରିକ୍ତ ଏସପି, ୧୬ ଜଣ ଏଏସପି, ୨୦ ଜଣ ଇନ୍ସପେକ୍ଟର ଓ ୧୦୦ରୁ ଅଧିକ କର୍ମଚାରୀ ସହଯୋଗ କରିବେ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Comments are closed.