ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
କେତେ ଲେଖିଛିଁ ଗଣିନାହିଁ
କା ପାଇଁ ଲେଖେଁ ଜାଣିନାହିଁ
ନ ଲେଖି ପାରୁନାହିଁ ରହି
ତେଣୁ ମୁଁ ଲେଖୁଥାଏଁ ବହି
ଲେଖୁଛିଁ ବୋଲି ଅଛିଁ ଜିଇଁ
କାହାକୁ କିଛି ଦେଇନାହିଁ
ସ୍ବଲଗ୍ନ ହୋଇ ଥାଏଁ ରହି
ଗତ, ଆଗତ ଭାବେନାହିଁ
ନିଜ ପ୍ରତି ଯେ ଆସ୍ଥାଧାରୀ
ନାସ୍ତିକ ହେବ ସେ କିପରି?
ଯେ କରେ ଆତ୍ମାନୁସଂଧାନ
ସେ ନିଶ୍ଚେ ଆସ୍ତିକ ସଜ୍ଜନ
ଅଂଧ ଭଳି ବିଶ୍ବାସକାରୀ
ହୁଏନି ବିଶ୍ବ-ହିତକାରୀ
ଜିଇଁଲେ ଜୈବିକ ଜୀବନ
ମିଳେନି ଆଧ୍ୟାତ୍ମିକ ଜ୍ଞାନ
କେତେକ ଈଶ୍ବର ବିଶ୍ବାସୀ
ହୁଅଂତି ବିଶ୍ବର ବିନାଶୀ
କରଂତି ବହୁ ଅପକର୍ମ
ତାହାକୁ ମାନୁଥାଂତି ଧର୍ମ
ମୁହୂର୍ତଜୀବୀ ଅଟେଁ ମୁହିଁ
କାହାକୁ କିଛି ମାଗୁନାହିଁ
ପଢ଼ିଲେ ପଢ଼ଂତୁ କି ନାହିଁ
ଲେଖୁଛିଁ ସର୍ବାନଂଦ ପାଇଁ
କାହାର ଗୁରୁ, କାହା ଶିଷ୍ୟ
ବୁଝିଲେ ଏ ଗୂଢ଼ ରହସ୍ୟ
ଅସ୍ଥିର ହୁଏ ପଦ, ଆଖ୍ୟା
ପ୍ରତ୍ୟେକେ ପାଇଥାଂତି ଶିକ୍ଷା
ଏକାଗ୍ରଚିତ୍ତଧାରୀ ବ୍ୟକ୍ତି
ଜାଗ୍ରତ କରି ଅଂତର୍ଶକ୍ତି
ନିଜକୁ ନିଜର ଅଧୀନ
ରଖିଲେ ହୁଅଇ ସ୍ବାଧୀନ
ସମ୍ମାନ ସହିତ ସଂପ୍ରୀତି
ରହିଲେ ଘଟେ ସର୍ବୋନ୍ନତି
ସାଂଗରେ ଥାଏ ସଦା ଛାଇ
ସିଏ ହିଁ ମୋ ନିଜ ଗୋସାଇଁ
Comments are closed.